ଓଡ଼ିଶା 365(ବ୍ୟୁରୋ):ରାଜଧାନୀର ଛାତି ଉପରେ ରେଞ୍ଜ ରୋଭ ଗାଡି ଦୁର୍ଘଟଣାରେ ଆଇସିୟୁରେ ଭର୍ତ୍ତି ହୋଇଥିବା ଲୋପାମୁଦ୍ରାଙ୍କ ମୃତ୍ୟୁ। ଅନ୍ୟ ଜଣେ ସିଆରପିଏଫ ଯବାନ କାହ୍ନୁଚରଣ ନାୟକ ଗୁରୁତର ଅବସ୍ଥାରେ ମେଡିକାଲ ଶଯ୍ୟାରେ ଛଟପଟ ହେଉଛନ୍ତି। ଏହାରି ଭିତରେ ଚର୍ଚ୍ଚାରେ ରହିଛି କମିଶନରେଟ ପୋଲିସର ନମ୍ବର ଅଦଳବଦଳ ଖେଳ। ଦୁର୍ଘଟଣା ଘଟାଇଥିବା ରେଞ୍ଜ ରୋଭ ଗାଡିର ନମ୍ବର ଓଲଟପାଲଟକୁ ନେଇ ସନ୍ଦେହ ଘେରକୁ ଆସିଛି ପୁଲିସର ଭୂମିକା। ପାୱାର ହାଉସ ଛକରେ ଘଟିଥିବା ଏ ଦୁର୍ଘଟଣା ବାବଦରେ କମିଶନରେଟ୍ ପୁଲିସର ପ୍ରେସ୍ ରିଲିଜରେ ପ୍ରଥମେ ଗାଡ଼ି ନମ୍ବର OD-33-AF-6726 ଲେଖାଥିଲା। ମାତ୍ର ଅଢ଼େଇ ଘଣ୍ଟା ପରେ ଗାଡ଼ି ନମ୍ବରରେ ସଂଶୋଧନ କରଯାଇ OD-23-K-0006 ନମ୍ବର ଜାରି କରିଥିଲା ପୁଲିସ୍ । ଏଠି ପ୍ରଶ୍ନ ଉଠୁଛି ପୁଲିସ୍ ଭୁଲ ବଶତଃ ନା ବଡବଡିଆଙ୍କ ଚାପରେ ଏମିତି କରିଥିଲା। OD-23-K-0006 ନମ୍ବର ଥିବା ରେଞ୍ଜ ରୋଭର ଗାଡ଼ିଟି ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କ କମ୍ପାନୀର ବୋଲି ଜଣାପଡ଼ିଛି।
ଏହି କମ୍ପାନୀର ଡାଇରେକ୍ଟର ରହିଛନ୍ତି ବିଶାଳ। ତେବେ ଦୁର୍ଘଟଣା ଘଟିବା ଦିନ ବିଶାଳ ସେହି ଗାଡ଼ିରେ ଥିଲେ କି ନାହିଁ ସେ ସମ୍ପର୍କରେ ତାଙ୍କ ପ୍ରତିକ୍ରିୟା ମିଳିନାହିଁ। କମିଶନରେଟ୍ ପୁଲିସର କାର୍ଯ୍ୟାଳୟଠୁ ମାତ୍ର ୫୦ ମିଟର ଦୂରରେ ଏଇ ଦୁର୍ଘଟଣା ଘଟିଥିବା ବେଳେ ପୁଲିସ୍ ଗାଡ଼ି ଡ୍ରାଇଭର ସୌଭାଗ୍ୟ ବାଗଙ୍କୁ ଗିରଫ କରିଛି। ଡ୍ରାଇଭର ନିଜ ଦୋଷ ସ୍ୱୀକାର କରିଥିବା ପୁଲିସ୍ କହୁଥିବା ବେଳେ ସତ କ’ଣ କ୍ୟାମେରା ଆଗରେ କିନ୍ତୁ ମୁହଁ ଖୋଲି ନାହାନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି ୨ଜଣ ଗାଡିରେ ବସିଥିବାବେଳେ ସେ ଦ୍ୱିତୀୟ ବ୍ୟକ୍ତି ଜଣଙ୍କ କିଏ? ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ସୁରକ୍ଷା ଦେବାକୁ ଆଉ ଏମିତି ହୋଇନି ତ ପ୍ରିପ୍ଲାନ୍। ନବ ଦାସଙ୍କ ପୁଅ ବୋଲି ପୁଲିସ ଜାଣିଶୁଣି ଅଙ୍କ ବିଗାଡୁନି ତ । ଯଦି ପୁଲିସ ଏପରି କରିଥାଏ ତାହା ହେଲେ ଏହା ସାଙ୍ଘାତିକକଥା।