ଓଡ଼ିଶା 365 (ବ୍ୟୁରୋ): ବୈଜ୍ଞାନିକମାନେ ଜୀବଜନ୍ତୁମାନଙ୍କର ମୁଣ୍ଡକୁ ସହଜରେ ଚିହ୍ନି ପାରୁଥିବା ବେଳେ ‘ଷ୍ଟାର ଫିସ୍’ମାନଙ୍କ ସମ୍ପର୍କରେ ସେମାନେ ନିଶ୍ଚିତ ନ ଥିଲେ। ‘ଷ୍ଟାର ଫିସ୍’ଙ୍କର ପାଞ୍ଚଟି ସମାନ ବାହୁ ଥାଏ ଯାହା ତଳେ ‘ନଳୀ ପାଦ’ମାନ ରହିଥାଏ ଯାହା ସେମାନଙ୍କୁ ସମୁଦ୍ର ପାଣିରେ ଗତି କରିବାରେ ସହାୟକ ହୋଇଥାଏ। ସେମାନଙ୍କର ଏପରି ଶାରୀରିକ ଗଠନ କାରଣରୁ ସେମାନଙ୍କର ଦେହର ଆଗ-ପଛ କି ଗଣ୍ଡି ଅଛି କି ନାହିଁ, ତାହା ପ୍ରାଣୀବିଜ୍ଞାନୀମାନଙ୍କୁ ଦ୍ବନ୍ଦ୍ବରେ ପକାଇଆସିଛି।
ଏକ ନୂତନ ଗବେଷଣାରୁ ଜଣାପଡ଼ିଛି ଯେ ‘ଷ୍ଟାର ଫିସ୍’ର ସମଗ୍ର ଦେହ ହେଉଛି କେବଳ ଏକ ବିଶାଳ ମୁଣ୍ଡ, ତାହାର ଗଣ୍ଡି କି ଲାଞ୍ଜ ନାହିଁ। ବିବର୍ତ୍ତନ ପ୍ରକ୍ରିୟାରେ ସମ୍ଭବତଃ ଅନ୍ୟ ଅଙ୍ଗଗୁଡ଼ିକୁ ସେ ହରାଇ ବସିଛି। ଗବେଷକଙ୍କ କହିବାନୁସାରେ, ଏହି ସାମୁଦ୍ରିକ ଜୀବର ପୂର୍ବ ବଂଶଧରଙ୍କ ଅଦ୍ଭୁତ ଜୀବାଶ୍ମରେ ଏକ ପ୍ରକାରର ଗଣ୍ଡି ଦେଖିବାକୁ ମିଳିଛି। ତେବେ ଆଜିର ‘ଷ୍ଟାର ଫିସ୍’ ଗଣ୍ଡିବିହୀନ ମୁଣ୍ଡଟିଏ ଭାବେ ତିଷ୍ଠି ରହି ସମୁଦ୍ରଶଯ୍ୟାରେ ଘୁଷୁରି ଘୁଷୁରି ଗତି କରୁଛି। ‘ଷ୍ଟାର ଫିସ୍’ର ଜୀବନ ଏକ ଅଣ୍ଡା ଭାବରେ ଆରମ୍ଭ ହୋଇଥାଏ, ଯାହା ଉଷୁମ ହୋଇ ଫୁଟିଲା ପରେ ଲାର୍ଭା ରୂପରେ ସମୁଦ୍ର ପାଣିରେ ପହଁରିଥାଏ। କିଛି ସପ୍ତାହ ବା ମାସ ଧରି ପହଁରିବା ପରେ ସେଗୁଡ଼ିକ ସମୁଦ୍ରଶଯ୍ୟାରେ ଏକ ରୂପାନ୍ତର ପ୍ରକ୍ରିୟା ଦେଇ ଗଲା ପରେ ତାରକା ବା ପଞ୍ଚବାହୁ ରୂପ ନେଇଥାନ୍ତି।