ଓଡ଼ିଶା 365 (ବ୍ୟୁରୋ): ଏବେ ଚାଲିଛି କାର୍ତ୍ତିକ ମାସ। ଏଥିପାଇଁ ପ୍ରାୟ ସମସ୍ତେ ଆମିଷ ଠାରୁ ଦୂରେଇ ରହୁଛନ୍ତି ଏଥିପାଇଁ ସମସ୍ତେ ସବୁଜ ପନିପରିବା ଉପରେ ନିର୍ଭର କରୁଛନ୍ତି। ହେଲେ ପନିପରିବାର ଦର ଏବେ ବେଲଗାମ୍। ସବୁଠୁ ବଡ଼ କଥା ହେଉଛି ଏବେ ପ୍ରାୟତ ହବିଷ ଖାଉଛନ୍ତି। ଏଥିପାଇଁ ଅଦା ଆବଶ୍ୟକ । ମାତ୍ର, ସେ ଅଦା ଦର ଏବେ ଆକାଶ ଛୁଆଁ। ବିଶେଷ କରି ଅଦା କିଲୋ ପିଛା ପାଇକାରୀ ଦର ୧୫୦ ଟଙ୍କା ରହିଥିବା ବେଳେ ଖୁଚୁରା ବ୍ୟବସାୟୀମାନେ ଏହାକୁ ୨୫୦ ଟଙ୍କା କିମ୍ବା ଏହାଠାରୁ ଅଧିକ ମୂଲ୍ୟରେ ବିକ୍ରି କରୁଛନ୍ତି । ଖୁଚୁରା ବ୍ୟବସାୟୀ ଅଦା ପାଇଁ ଚଢ଼ା ଦର ନେଉଛନ୍ତି । ଯାହାକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି। କେବଳ ଅଦା ନୁହେଁ ପରିବା ମଧ୍ୟ ଚଢ଼ାରେ ବିକୁଛନ୍ତି ବ୍ୟବସାୟୀ । ପୂର୍ବରୁ ପିଆଜ ଦର ବେଲଗାଲ ବୃଦ୍ଧି ହେତୁ ଲୋକେ ଆବଶ୍ୟକ ପରିମାଣର ପିଆଜ ନକିଣି ଅଳ୍ପରେ ଚଳିଯାଉଛନ୍ତି ଲୋକେ।
ତେବେ ୟୁନିଟ୍ ୧ ହାଟରେ ଏବେ ଅଧିକାଂଶ ପରିବା ଦର ୪୦ରୁ ୫୦ ଟଙ୍କା ରହିଛି । ରସୁଲଗଡ଼ ଅଞ୍ଚଳରେ ଏବେ ଧନିଆପତ୍ର କିଲୋ ପିଛା ଦର ୩୦୦ ଟଙ୍କା ରହିଛି । ସେହିଭଳି ଅଦା ଏବଂ ରସୁଣ କିଲୋ ପିଛା ଦର ୨୦୦ ଟଙ୍କା ରହିଛି । ଏହାବାଦ୍ ବିନ୍ସ ୧୨୦ ଟଙ୍କା, ଟମାଟୋ ୪୦, ବାଇଗଣ ୪୦, ପୋଟଳ ୬୦, ଭେଣ୍ଡି ୬୦, କଲରା ୮୦, ଜହ୍ନି ୮୦, ବନ୍ଧା କୋବି, ଫୁଲକୋବି ୪୦, ଝୁଡଙ୍ଗ ୬୦, ପିଆଜ ୬୦ ଏବଂ ଆଳୁ ୨୦ ଟଙ୍କାରେ ବିକ୍ରି ହେଉଛି । ଏବେ ନାସିକା ଓ ଅନ୍ୟ ରାଜ୍ୟରୁ ଆବଶ୍ୟକ ମୁତାବକ ପିଆଜ ଆସିପାରୁନାହିଁ । ସେଥିପାଇଁ ଦର ଉଚ୍ଚା ରହୁଛି ।