ଓଡ଼ିଶା 365 (ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟେଲିଫୋନ ଯୋଗେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସହ କଥା ହୋଇଛନ୍ତି। ସେ ତାଙ୍କ କାର୍ୟ୍ୟକାଳର ଏକ ବର୍ଷ ସଫଳତାର ସହ ପୂରଣ କରିଥିବାରୁ ଋଷି ସୁନକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପଶ୍ଚିମ ଏସିଆର ପରିସ୍ଥିତି ବିଷୟରେ ଉଭୟ ନେତା ଆଲୋଚନା କରିଥିଲେ। ବାଣିଜ୍ୟ, ପୁଞ୍ଜି ବିନିଯୋଗ, ଉଦୀୟମାନ ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା, ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ କ୍ଷେତ୍ର ସହିତ ଦ୍ୱିପାକ୍ଷିକ ବ୍ୟାପକ ରଣନୀତିକ ଭାଗିଦାରୀକୁ ମଜବୁତ କରିବାକୁ ଦୁଇ ନେତା ଆଲୋଚନା କରିଥିଲେ।
ପଶ୍ଚିମ ଏସିଆ ଅଞ୍ଚଳର ବିକାଶ ଏବଂ ଇସ୍ରାଏଲ-ହାମାସ ଯୁଦ୍ଧ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ଋଷି ସୁନକଙ୍କ ସହ କଥା ହୋଇଥିଲେ। ଆତଙ୍କବାଦ, ସୁରକ୍ଷା ଅବସ୍ଥା ଖରାପ ହେବା ସହ ସାଧାରଣ ନାଗରିକଙ୍କ ଜୀବନ ହରାଇବା ନେଇ ଉଭୟ ନେତା ଗଭୀର ଉଦ୍ବେଗ ପ୍ରକାଶ କରିଥିଲେ। ଆଞ୍ଚଳିକ ଶାନ୍ତି, ନିରାପତ୍ତା, ସ୍ଥିରତା ଏବଂ ମାନବିକ ସହାୟତା ପାଇଁ ଉଭୟ ନେତା ଏକମତ ହୋଇଥିଲେ।
ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଋଷି ସୁନାକ ମଧ୍ୟ ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି। ଗତ ମାସରେ ଋଷି ସୁନକ ଇସ୍ରାଏଲ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଭେଟିଥିଲେ। ଇସ୍ରାଏଲକୁ ସମର୍ଥନ କରି ସେ ଅକ୍ଟୋବର ୭ ରେ ଘଟିଥିବା ଘଟଣାକୁ ଆତଙ୍କବାଦୀ ଆକ୍ରମଣ ବୋଲି କହିଥିଲେ।