ଓଡ଼ିଶା 365 (ବ୍ୟୁରୋ): ସାମ୍ବାଦିକାଙ୍କୁ ମାଡ଼ ମାରିବା ଘଟଣାରେ ପ୍ରଜୋଯକ ଟୁଟୁ (ସଞ୍ଜୟ) ନାୟକଙ୍କୁ ଘରୁ ଉଠାଇ ଆଣିଲା ଖାରବେଳ ନଗର ଥାନା ପୁଲିସ। ଉକ୍ତ ଘଟଣାରେ ହସ୍ତକ୍ଷେପ କରି ନିଜଆଡ଼ୁ ମାମଲା ରୁଜୁ କରିଛନ୍ତି ମହିଳା କମିଶନ। ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା ୧୫ ଦିନ ଭିତରେ ମାମଲାର ତଦନ୍ତ କରି ରିପୋର୍ଟ ଦେବାକୁ ପୁଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଣେ ବିଜେପି ଓ କଂଗ୍ରେସ ପକ୍ଷରୁ ଏହି ମାମଲାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣକରିବାକୁ ଦାବି ହୋଇଛି। ପ୍ରଯୋଜକ ସଞ୍ଜୟ ନାୟକ(ଟୁଟୁ)ଙ୍କୁ ପୁଲିସ ତୁରନ୍ତ ଗିରଫ କରୁ। ଏହା ସହ ଟୁଟୁ ନାୟକ ମହିଳା ସାମ୍ବାଦିକାଙ୍କୁ କ୍ଷମା ମାଗନ୍ତୁ। ନ ହେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବ ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି। ଠିକ୍ ସେହିପରି ମହିଳା ସାମ୍ବାଦିକାଙ୍କୁ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକ ଚାପୁଡ଼ା ମାରିବା ଘଟଣାକୁ ନିନ୍ଦା କରିଛି ବିଜେପି ମହିଳା ମୋର୍ଚ୍ଚା। ଏଣେ ପୁଲିସ କାହିଁକି ଟୁଟୁ ନାୟକଙ୍କୁ ଗିରଫ କରୁନାହିଁ। ତୁରନ୍ତ ଟୁଟୁ ନାୟକଙ୍କୁ ଗିରଫ କରାଯାଉ ବୋଲି ଦାବି କଲେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ଵାଳ।
ତେବେ, ଖାରବେଳ ନଗର ଥାନା ପୁଲିସ ଟୁଟୁ ନାୟକଙ୍କୁ ନିଜ ଘରୁ ଉଠାଇ ଆଣିବା ପରେ ଥାନାରେ ପଚରାଉଚରା କରାଯାଉଥିବା ନେଇ ସୂଚନା ଦେଇଛନ୍ତି ଥାନା ଅଧିକାରୀ । ଗତକାଲି ଖବର ସଂଗ୍ରହ ସମୟରେ ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ଚାପୁଡ଼ା ମାରିବା ଓ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ସାମ୍ବାଦିକା। ଏନେଇ ଖାରବେଳନଗର ଥାନା ପୁଲିସ କେସ୍ ନଂ-୫୫୩ରେ ଦଫା ୩୪୧, ୩୨୩, ୩୫୪ ଓ ୨୯୪ରେ ମାମଲା ରୁଜୁ କରିଛି।