ଓଡ଼ିଶା 365 (ବ୍ୟୁରୋ): ସମ୍ବଲପୁରରେ ଜିଲ୍ଲା ମାନେଶ୍ୱର ବ୍ଲକ ଅନ୍ତର୍ଗତ ମାଲତୀଗୁଣ୍ଡେରପୁର ସରକାରୀ ହାଇସ୍କୁଲରେ ଅବ୍ୟବସ୍ଥା। ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଖେଳ ଖେଳିଲେ ସ୍କୁଲ କତୃକକ୍ଷ। ଆଜି ଉକ୍ତ ସ୍କୁଲ ପରିସରରେ ସରକାରୀ ଆୟୋଜନ ହେଲା କାର୍ଯ୍ୟକ୍ରମ। ଛାତ୍ରଛାତ୍ରୀଙ୍କ ପରୀକ୍ଷା ଥିବାବେଳେ ଏଥିପାଇଁ ନିର୍ଦ୍ଧାରିତ ସମୟ ପୂର୍ବରୁ ଆଜି ଛାତ୍ରଛାତ୍ରୀଙ୍କ ପରୀକ୍ଷା କରାଯାଇଛି। ଏଥିଯୋଗୁ ପ୍ରଶ୍ନପତ୍ର ଲିକ୍ ହେବାର ମଧ୍ୟ ସମ୍ଭାବନା ଦେଖା ଦେଇଛି।
ସୂଚନାଯୋଗ୍ୟ, ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଆଜି ସ୍କୁଲ ପରିସରରେ ଆୟୋଜିତ ହେଉଛି । ଏହି ସମୟରେ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ଷାଣ୍ମାସିକ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେଉଛି। ପରୀକ୍ଷା ସମୟ ସକାଳ ୧୦ଟା୩୦ରୁ ଦିନ ୧ ଟା ଯାଏ ରହିଛି । ମାତ୍ର ସରକାରୀ କାର୍ଯ୍ୟକ୍ରମ ନିମନ୍ତେ ମାଳତୀ ଗୁଣ୍ଡେରପୁର ସ୍କୁଲରେ ପରୀକ୍ଷା ସମୟକୁ ଘୁଞ୍ଚାଇ ଦିଆଯାଇଛି। ଏପରିକି ଆଜି ସକାଳ ୭ଟା ରୁ ୯ ଟା ୩୦ ଯାଏ ପରୀକ୍ଷା କରାଯାଇଛି। ସମଗ୍ର ରାଜ୍ୟରେ ସମାନ ପ୍ରଶ୍ନପତ୍ରରେ ପରୀକ୍ଷା ହେଉଛି। ତେଣୁ କିଛି ସ୍କୁଲ ପିଲା ନିର୍ଦ୍ଧାରିତ ସମୟ ପୂର୍ବରୁ ପରୀକ୍ଷା ଦେଇଥିବା ବେଳେ ପ୍ରଶ୍ନପତ୍ର ଲିକ୍ ହେବାର ଆଶଙ୍କା ଦେଖାଦେଇଛି। ଏ ନେଇ ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି ଯେ, ସେମାନେ ପରୀକ୍ଷା ପରେ ପ୍ରଶ୍ନପତ୍ର ଛାତ୍ରଛାତ୍ରୀଙ୍କଠାରୁ ରଖି ଦେଇଛନ୍ତି । ତେବେ ପରୀକ୍ଷା ଚାଲିଥିବା ବେଳେ କିପରି ଏତେ ବଡ କାର୍ଯ୍ୟକ୍ରମ ସ୍କୁଲ ପରିସରରେ କରିବାକୁ ପ୍ରଶାସନ ଅନୁମତି ଦେଲା ତାହା ବଡ ପ୍ରଶ୍ନ ଠିଆ କରିଛି ।