ଓଡ଼ିଶା 365 (ବ୍ୟୁରୋ): ନିଜ ଲୋକଙ୍କୁ ହତ୍ୟା କରୁଛି ହମାସ । ଗାଜା ଛାଡୁଥିବା ଲୋକଙ୍କୁ ଗୁଳି ମାରୁଛନ୍ତି ହମାସ ଆତଙ୍କବାଦୀ । ଇସ୍ରାଏଲ ସେନା ଗାଜା ଛାଡି ଦକ୍ଷିଣକୁ ଚାଲିଯିବାପାଇଁ ସାଧାରଣ ନାଗରିକଙ୍କୁ ନିର୍ଦେଶ ଦେଇଥିବା ବେଳେ ଯେଉଁମାନେ ଉତ୍ତର ଗାଜାରୁ ଦକ୍ଷିଣ ଗାଜାକୁ ଯାଉଛନ୍ତି ସେମାନଙ୍କୁ ଗୁଳିମାରି ରାସ୍ତାରେ ହତ୍ୟା କରୁଛନ୍ତି । ଇସ୍ରାଏଲ୍ ସେନା ହମାସ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଗାଜାରେ ନିଜର ଗ୍ରାଉଣ୍ଡ ଅପରେସନ୍ ଜାରି ରଖିଥିବା ବେଳେ ଏଭଳି ଘଟଣା ଦେଖିବାକୁ ମିଳିଛି । ହମାସ ସାଧାରଣ ଲୋକଙ୍କ ମଧ୍ୟରେ ରହି ଇସ୍ରାଏଲ ସହ ଯୁଦ୍ଧ କରିବାକୁ ଚାହୁଁଛି ଯାହାକୁ ଗାଜାବାସୀ ଗ୍ରହଣ କରୁନାହାଁନ୍ତି । ହମାସ ଆତଙ୍କବାଦୀ ଗୋଷ୍ଠୀ ମହିଳା ଏବଂ ଶିଶୁଙ୍କ ସମେତ ନିରୀହ ପାଲେଷ୍ଟାଇନ ନାଗରିକଙ୍କୁ ହତ୍ୟା କରିଥିବା ଇସ୍ରାଏଲ ସେନା ଅଭିଯୋଗ କରିଛି ।
ଉତ୍ତର ଗାଜାର ଦକ୍ଷିଣକୁ ପଳାୟନ କରୁଥିବା ଲୋକଙ୍କୁ ହମାସ ସ୍ନାଇପରମାନେ ଗୁଳିମାଡ କରୁଛନ୍ତି । ଉତ୍ତର ଗାଜାରୁ ବାହାରକୁ ଯିବାକୁ ଦେଉନାହାଁନ୍ତି ହମାସ ଆତଙ୍କବାଦୀ । ରାସ୍ତା ସାରା ଲୋକଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳୁଛି । ଉତ୍ତର ଗାଜା ଏବଂ ଗାଜା ସହରର ସାଧାରଣ ନାଗରିକଙ୍କୁ ଦକ୍ଷିଣ ଗାଜାକୁ ଯିବାକୁ ବାରମ୍ବାର କହୁଛି ଇସ୍ରାଏଲ । ହାମାସ ସେମାନଙ୍କୁ ତାହା କରିବାକୁ ବାରଣ କରୁଛି। ସେମାନେ ଚାହୁଁ ନାହାଁନ୍ତି ସାଧାରଣ ନାଗରିକମାନେ ଉତ୍ତରଗାଜା ଛାଡି ପଳାୟନ କରନ୍ତୁ । ନିଜେ ହତ୍ୟା କରି ହାମାସ ସମର୍ଥକମାନେ ଇସ୍ରାଏଲର ଏୟାର ଷ୍ଟ୍ରାଇକକୁ ଦାୟୀ କରି ଭିଜୁଆଲ ପୋଷ୍ଟ କରୁଛନ୍ତି। ଭିଡିଓରୁ ସ୍ପଷ୍ଟ ଜଣାପଡୁଛି ଏହି ହତ୍ୟା ଗୁଳିଦ୍ବାରା ହୋଇଛି ଏୟାର ଷ୍ଟ୍ରାଇକରେ ହୋଇନାହିଁ । ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ରାସ୍ତାରେ ଗାତ ହେବା କଥା କିନ୍ତୁ ରାସ୍ତା ସୁରକ୍ଷିତ ଥିବାରୁ ହମାସ ଆତଙ୍କବାଦୀମାନେ ତାଙ୍କୁ ହତ୍ୟା କରିଥିବା ସ୍ପଷ୍ଟ ହୋଇଛି ।
କେବଳ ଗୁଳିରେ ଆଘାତ ଓ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ରାସ୍ତାରେ ପଡିଛି । ବୋମା ମାଡହୋଇଥିଲେ ରାସ୍ତା ଧୂଳି ହେବା ସହ ଚିତ୍ର ଭୟାଭୟ ହେବା ନିଶ୍ଚିତ । ରାସ୍ତାରେ ଦେଖାଯାଇଥିବା ପୀଡିତାଙ୍କୁ ଗୁଳିମାରି ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି। ଏଥିସହ, ଶବଗୁଡ଼ିକରେ ସ୍ନାଇପରଙ୍କ କାର୍ୟ୍ୟକୁ ସୂଚାଇ ହେଡଶଟ୍ ସମେତ ବନ୍ଧୁକ ଗୁଳିର ସ୍ପଷ୍ଟ ଚିହ୍ନ ରହିଛି। ସାଧାରଣ ନାଗରିକଙ୍କ ହତ୍ୟାକୁ ନେଇ ସାରା ବିଶ୍ବରେ ଏହାକୁ ନିନ୍ଦା କରାଯାଉଛି । ବିଶେଷ କରି ନିଜର ସୁରକ୍ଷା ପାଇଁ ହମାସ ଆତଙ୍କବାଦୀମାନେ ମହିଳା ଏବଂ ଶିଶୁଙ୍କ ମଧ୍ୟ ଛାଡୁନାହାଁନ୍ତି । ସେମାନଙ୍କୁ ଗୁଳି କରି ହତ୍ୟା କରୁଛନ୍ତି ।