ଓଡ଼ିଶା 365 (ବ୍ୟୁରୋ): ଗୋଟିଏ ଦିନରେ ରିଲିଜ୍ ହୋଇଛି ଦୁଇଟି ଓଡିଆ ଚଳଚ୍ଚିତ୍ର ‘ମାଇଁ ସ୍ବିଟ୍ ହାଉସୱାଇଫ୍’ ଓ ‘ପ୍ରଥା’ । ନୈନା ଦାସ ତିୱାରୀ ଓ ଅଭିନେତା ପ୍ରୀତିରାଜ ଶତପଥୀ ‘ମାଇଁ ସୁଇଟ୍ ହାଉସ୍ୱାଇଫ୍’ରେ ମୁଖ୍ୟ ଭୂମିକାରେ ଅଭିନୟ କରିବା ସହିତ ଫିଲ୍ମର ପ୍ରଯୋଜନା ମଧ୍ୟ କରିଛନ୍ତି । ସେହିପରି ସିଦ୍ଧାର୍ଥ ତିୱାରୀ ଏହାର ସହଯୋଗୀ ପ୍ରଯୋଜକ ଦାୟିତ୍ୱରେ ଥିବାବେଳେ ନିର୍ଦ୍ଦେଶନା ଦେଇଛନ୍ତି ପିନାକୀ ସିଂ ଓ ଶିଶିର ସାହୁ। ଏହାସହ ରାହୁଲ ରାଉଳ ନିଜ କଣ୍ଠରେ ଏହାକୁ ସଜାଇଛନ୍ତି ।
ଅନ୍ୟପଟେ, ସନଲିଶା ସିଗନେଚର୍ ଫିଲ୍ମସ୍ ବ୍ୟାନର ତଥା ସନଲିଶା ପଟେଲଙ୍କ ଦ୍ୱାରା ପ୍ରଯୋଜିତ ‘ପ୍ରଥା’ର ନାୟକ ଭୂମିକାରେ ଅଛନ୍ତି ସ୍ୱରାଜ ବାରିକ । ତାଙ୍କ ସହିତ ଦୁଇଜଣ ନାୟକା- ଶୀତଲ ପାତ୍ର ଓ ସିମରନ କୌରଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଛି । ଏହାସହ ଏହି ଫିଲ୍ମରେ ଚୌଧୁରୀ ବିକାଶ ଦାସ, ଜୟ ପ୍ରକାଶ ଦାସ, ବବି ମିଶ୍ର, ରବି ମିଶ୍ର, ଡିସ୍କୋ ରେଡ୍ଡୀ ଓ ଇଲୁ ବାନାର୍ଜୀଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଛି । କେ. ମୁରଲୀକ୍ରିଷ୍ଣା ଫିଲ୍ମର ନିର୍ଦ୍ଦେଶନା ଦେଇଥିବାବେଳେ ଅସଦ୍ ନିଜାମ ସଙ୍ଗୀତ ନିର୍ଦ୍ଦେଶକ ଅଛନ୍ତି । ଓଲିଉଡ୍ ସମେତ ମୁମ୍ବାଇ, ଦିଲ୍ଲୀ ଓ ପଞ୍ଜାବର କଳାକାରଙ୍କୁ ନେଇ ‘ପ୍ରଥା’ର ସୁଟିଂ କୋରାପୁଟ ସହିତ ଦିଲ୍ଲୀ ଓ ପଞ୍ଜାବର ବିଭିନ୍ନ ଜାଗାରେ ସୁଟିଂ ହୋଇଛି । ଏହା ଏକ ନିଆରା ଢ଼ଙ୍ଗରେ ହୋଇଛି ବୋଲି ଚର୍ଚ୍ଚା ହେଉଛି ।
‘ପ୍ରଥା’ର ଶୀର୍ଷକରୁ ହିଁ ଅନୁମାନ କରାଯାଇପାରେ ଯେ ସମାଜରେ ଥିବା ବିଭିନ୍ନ ପ୍ରଥାର ଚିତ୍ର ଏଥିରେ ରହିଛି । ପ୍ରଥମଥର ପାଇଁ ସ୍ୱରାଜଙ୍କୁ ଆକ୍ସନ ଭୂମିକାରେ ଦେଖିବାକୁ ମିଳିଛି । ଏ ଫିଲ୍ମରେ ଗୋଟିଏ ସାମାଜିକ ବାର୍ତ୍ତା ରହିଛି ବୋଲି ପ୍ରଯୋଜନା ସଂସ୍ଥାର ଦାବି ରହିଛି ।