ଓଡ଼ିଶା 365 (ବ୍ୟୁରୋ): କୌଣସି ଶୁଭ କାମରେ ଯିବା ପୂର୍ବରୁ ଆମେ ମିଠା ଦହି ଖାଇଥାଉ । ବହୁ ପୁରାତନ କାଳରରୁ ଏହି ପରମ୍ପରା ଚାଲି ଆସୁଛି । ମିଠା ଦହି ଖାଇ ଘରୁ ବାହାରିଲେ ସବୁ କାମ ସଫଳ ହୁଏ ବୋଲି ବିଶ୍ୱାସ ରହିଛି । ତେବେ ଏହି ପରମ୍ପରା ପଛରେ ମଧ୍ୟ ବୈଜ୍ଞାନିକ କାରଣ ରହିଛି । ଦହି ସ୍ୱାସ୍ଥ୍ୟ ପାଖେ ମଧ୍ୟ ହିତକାରକ । ଆମେ ବାହାରକୁ ଯିବାବେଳେ ଏନର୍ଜି ବା ଶକ୍ତିର ଆବଶ୍ୟକତା ହୋଇଥାଏ । ଦହି ଖାଇବା ଦ୍ୱାରା ଆମ ଶରୀରକୁ ତ୍ବରିତ ଶକ୍ତି ବା ଷ୍ଟାମିନା ମିଳିଥାଏ । ଦହିରେ ପ୍ରଚୁର ପରିମାଣର ପ୍ରୋଟିନ ରହିଛି ଯାହାକି ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଲାଭଦାୟକ । ଏହା ଛଡା ଦହିରେ କ୍ୟାଲସିୟମ, ପୋଟାସିୟମ, ଭିଟାମିନ ବି-୬ ଏବଂ ବି-୧୨ ଭଳି ପୋଷଣ ତତ୍ୱ ରହିଛି ।
ଚିନିରେ ସର୍କରା ରହିଛି ଯାହାକି ଶରୀରକୁ ଶକ୍ତି ଯୋଗାଇଥାଏ । ଖରାରେ ଘରୁ ବାହାରିବା ପୂର୍ବରୁ କିଛି ମାତ୍ରାରେ ଚିନି ଖାଇ ବାହାରିଲେ ଡିହାଇଡ୍ରେସନ ସମସ୍ୟା ଦେଖାଦେଇନଥାଏ । ଦହି ଖାଇବା ଦ୍ୱାରା ଆମର ହାଡ ମଜବୁତ ହୋଇଥାଏ । ଦହିରେ ପାଚନ ଶକ୍ତି ରହିଥିବାରୁ ଦହି ଖାଇବା ଦ୍ୱାରା ପେଟ ସମସ୍ୟା ମଧ୍ୟ ଦୂର ହୋଇଥାଏ, ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଦିନକୁ ୨୦୦ ଗ୍ରାମ ଦହି ଖାଇଲେ ଶରୀରରେ ରୋଗ ପ୍ରତିଶୋଧକ କ୍ଷମତା ମଧ୍ୟ ବଢିଥାଏ ।ତେବେ ଦହି ଚିନି ଯେ କେବଳ ଶୁଭ କାମରେ ବାହାରିଲା ବେଳେ ଖାଇବା କଥା ତାନୁହେଁ । ଦହିର ଅନ୍ୟାନ୍ୟ ବହୁ ଗୁଣ ମଧ୍ୟ ରହିଛି । ଆସନ୍ତୁ ଜାଣିବା ସେସବୁ କ’ଣ…
ଦହିର ମଇଶ୍ଚରାଇଜର ଗୁଣ ରହିଛି ଯାହାକି ରୂଖା ଚର୍ମକୁ ସୁନ୍ଦର ଏବଂ ମୁଲାୟମ ରଖିଥାଏ । ଦହି ପାଚନ ଶକ୍ତି ବଢ଼ିଥାଏ ଯାହା ଫଳରେ ମୁହଁରେ ବ୍ରଣ ସମସ୍ୟା ଦୂର ହୋଇଥାଏ । ଦହି ଏକ ଭଲ ଫେସ ପ୍ୟାକର କାମ ମଧ୍ୟ କରିଥାଏ । ଏଥିରେ ଲାକଟିକ ଏସିଡ ଥିବାରୁ ଏହା ମୃତ କୋଷିକା ଗୁଡିକୁ ସଫା କରିଥାଏ। ଦହିରେ କିଛି ମାତ୍ରାରେ ବେସନ ଏବଂ ଲେମ୍ବୁ ରସ ମିଶାଇ ମୁହଁରେ ଲଗାଇଲେ ତ୍ୱଚା ମଧ୍ୟ ଉଜ୍ଜ୍ୱଳ ଦେଖାଯାଏ । ଏହାସହ ଦହି ମୁଣ୍ଡରୁ ରୁପି ଦୂର କରିବାରେ ସାହାଯ୍ୟ କରିଥାଏ । ଏହା ଦ୍ୱାରା ଚୁଟି ସଫା ହେବା ସହିତ ଚକ ଚକ ମଧ୍ୟ କରିଥାଏ ।