ଓଡ଼ିଶା 365 (ବ୍ୟୁରୋ): ଓଲିଉଡରେ ପୁଣି ଲଭ, ସେକ୍ସ, ଧୋକା । ’ଲଚକ ମଣି ବେବିଲୋ’ ଗାୟକ ଦେବେଶ ପତିଙ୍କୁ ପୁଲିସ ଗିରଫ କରିଛି । ଭଦ୍ରକର ଜଣେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ବ୍ଲାକମେଲ୍ କରୁଥିବା ଅଭିଯୋଗରେ ନୟାପଲ୍ଲୀ ଥାନା ପୁଲିସ ତାଙ୍କୁ ଗିରଫ କରିଛି । ଖବର ମୁତାବକ, ଦିନେ ‘ଲଚକ ମଣି ବେବିଲୋ’ ଗୀତ ଗାଇ ସାରା ଓଡିଶାରେ ଚହଳ ସୃଷ୍ଟି କରିଥିବା କଣ୍ଠଶିଳ୍ପୀ ଦେବେଶ ପତି ଏବେ ଜେଲରେ ଅଛନ୍ତି । ଦେବେଶଙ୍କ ଘର ଯାଜପୁରରେ। ସେ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ରହୁଥିବା ଭଦ୍ରକର ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସଂପର୍କ ଗଢ଼ିଉଠିଥିଲା। ପ୍ରଥମେ ଯୁବତୀଙ୍କୁ ଅନ୍ୟ ଜଣେ ଯୁବକ ପ୍ରେମ ନିବେଦନ କରିଥିଲେ। ହେଲେ ଯୁବତୀ ଏହାକୁ ଗ୍ରହଣ କରିନଥିଲେ।
ଯାହାଫଳରେ ପ୍ରେମରେ ବିଫଳ ହୋଇ ଯୁବକ ଜଣଙ୍କ ପ୍ରତିଶୋଧ ନବା ପାଇଁ ଯୁବତୀଙ୍କ ଫୋନ୍ ନମ୍ବର ଦେବେଶ ପତିଙ୍କୁ ଦେଇଥିଲେ। ଏହା ପରେ ଦେବେଶ ଏବଂ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ଦେବେଶ ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଶାରିରୀକ ସଂପର୍କ ମଧ୍ୟ ରଖିଥିଲେ। ଖାଲିଏତିକି ନୁହେଁ, ଦେବେଶ ଯୁବତୀଙ୍କ ଠାରୁ ୫ ଲକ୍ଷରୁ ଅଧିକ ଟଙ୍କା ନେଇଥିବା ମଧ୍ୟ ଅଭିଯୋଗ ହୋଇଛି। ପରେ ଯୁବତୀ ଜଣଙ୍କ ଜାଣିବାକୁ ପାଇଥିଲେ ଯେ ଦେବେଶ ଅନ୍ୟ ଜଣେ ଗାୟିକାଙ୍କ ସହ ସମ୍ପର୍କ ରଖିଛନ୍ତି। ଯୁବତୀ ଜଣକ ଦେବେଶଙ୍କୁ ଏସବୁ କହିବା ପରେ ଦେବେଶ ସମୟ ଦେଖି ଔଷଧ ଦେଇ ତାଙ୍କ ଗର୍ଭନଷ୍ଟ କରିଥିବା କହିଛନ୍ତି ଯୁବତୀ ।
ଏହାସହ ତାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ଭାଇରାଲ କରିଦେବାକୁ ଧମକ ଦେଇଥିବା ମଧ୍ୟ ଯୁବତୀ ଅଭିଯୋଗ କରିଛନ୍ତି । ତେବେ ଦେବେଶଙ୍କ ବିରୋଧରେ ବାରମ୍ବାର ଦୁଷ୍କର୍ମ, ଠକେଇ, ବିନା ସହମତିରେ ଗର୍ଭପାତ, ଅଶ୍ଳୀଳ ଭାଷାରେ ଗାଳି, ଅପରାଧିକ ଭୟ ପ୍ରଦର୍ଶନ ପରି ମାମଲା ରୁଜୁ ହୋଇଛି।