ଓଡ଼ିଶା 365 (ବ୍ୟୁରୋ): ରାଜଧାନୀର ଭୁବନେଶ୍ୱର ପଟିଆ ନିକଟସ୍ଥ ପଦ୍ମକେଶରୀପୁରରେ ଗୋଷ୍ଠୀ ସଂଘର୍ଷ ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କମିଶନରେଟ ପୋଲିସ। ଉକ୍ତ ଘଟଣାରେ ସମ୍ପୃକ୍ତ ପୁରୁଷଙ୍କ ପରେ ଏବେ ମହିଳାଙ୍କୁ ବାନ୍ଧିଛି ପୋଲିସ । ଗାଁରେ ରାତିଅଧିଆ ଚଢ଼ାଉ କରି ମହିଳାଙ୍କୁ ଉଠାଇ ନେଇଛି ପୋଲିସ। ପାଖାପାଖି ୭୦ ମହିଳାଙ୍କୁ ଉଠାଇ ନେଇଛି କମିଶନରେଟ ପୋଲିସ। ପୂର୍ବରୁ ଗାଁର ୭୭ ଜଣ ପୁରୁଷଙ୍କୁ ଗିରଫ କରାଯାଇଥିଲା।
ସୂଚନାଯୋଗ୍ୟ, ଗତ ସେପ୍ଟେମ୍ୱର ୧ ତାରିଖରେ ସାଇଡମରାକୁ କେନ୍ଦ୍ର କରି ଆରମ୍ଭ ହୋଇଥିଲା ଗଣ୍ଡଗୋଳ। ପରେ ଗତ ୨୬ ଓ ୨୭ ତାରିଖରେ ପୁଣି ଥରେ ଗଣ୍ଡଗୋଳ ହୋଇଥିଲା। ପ୍ରଥମ ଘଟଣାରେ ୧୨ ଜଣଙ୍କୁ ଗିରଫ କରାଯାଇଥିଲା ଆଉ ଦ୍ୱିତୀୟ ଥର ହୋଇଥିବା ଗଣ୍ଡଗୋଳ ଘଟଣାରେ ୭୭ ଜଣ ଗିରଫ ହୋଇଛନ୍ତି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହା ପଛରେ ରାଜନୈତିକ ଷଡ଼ଯନ୍ତ୍ର ଥିବା କୁହାଯାଉଛି । ସୂଚନା ଅନୁସାରେ, ପୂର୍ବତନ ସରପଞ୍ଚ ଓ ବର୍ତ୍ତମାନର ସରପଞ୍ଚ ଗୋଷ୍ଠୀ ଭିତରେ ସଂଘର୍ଷରୁ ଆରମ୍ଭ ହୋଇଥିଲା ଗଣ୍ଡଗୋଳ। ଉଭୟ ପକ୍ଷଙ୍କ ରାଜନୈତିକ ଶକ୍ତି ପ୍ରଦର୍ଶନକୁ ନେଇ ତେଜୁଛି ଅସନ୍ତୋଷ। ହେଲେ ଏହା ପଛର ରାଜନୈତିକ ଷଡ଼ଯନ୍ତ୍ରକାରୀଙ୍କର ଟେର ପାଉନି ପୋଲିସ ।