ଓଡ଼ିଶା 365 (ବ୍ୟୁରୋ): ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ବାୟୁ ପ୍ରଦୂଷଣ ବଢିବାରେ ଲାଗିଛି । ସ୍ଥିତି ଏମିତି ହେଲାଣି ଯେ, ନିଶ୍ୱାସ ନେବା ମଧ୍ୟ କଷ୍ଟକର ହୋଇପଡ଼ିଲାଣି । ନିଶ୍ୱାସ ଉପରେ ମଧ୍ୟ ଦିଲ୍ଲୀବାସୀଙ୍କର ଆଉ ବିଶ୍ୱାସ ନାହିଁ । ଧିରେ ଧିରେ ଶୀତ ବଢୁଥିବା ବେଳେ ସେପଟେ ବାୟୁର ଗୁଣବତ୍ତା କମିବାରେ ଲାଗିଛି । ସ୍ଥିତି ଜଟିଳ ହେବାରୁ ଦୁଇ ଦିନ ସ୍କୁଲ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି ଦିଲ୍ଲୀ ସରକାର । ସବୁ ଘରୋଇ ଏବଂ ସରକାରୀ ପ୍ରାଥମିକ ସ୍କୁଲଗୁଡିକୁ ବନ୍ଦ ରଖଯାଇଛି । ବିଦ୍ୟାଳୟଗୁଡିକୁ ଅନଲାଇନରେ ପାଠ ପଢାଇବାକୁ ପରାମର୍ଶ ଦିଆଯାଇଛି । ଏଥିସହ ଅଣ ଅତ୍ୟାବଶ୍ୟକ ନିର୍ମାଣ କାର୍ୟ୍ୟକୁ ବନ୍ଦ ରଖାଯାଇଛି । କେବଳ ନିର୍ମାଣ ନୁହେଁ ଭଙ୍ଗାରୁଜା କାର୍ୟ୍ୟ ମଧ୍ୟ ବନ୍ଦ ରଖାଯାଇଛି ।
ଦିଲ୍ଲୀ ଭିତରକୁ ହାଲୁକା ବାଣିଜ୍ୟିକ ଯାନ ଏବଂ ଡିଜେଲ ଟ୍ରକ ପ୍ରବେଶ ଉପରେ କଟକଣା ଲଗାଯାଇଛି । ଉପୁଜିଥିବା ସ୍ଥିତିର ସମୀକ୍ଷା ପାଇଁ ଆଜି ମଧ୍ୟାନ ୧୨ ଟାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଛନ୍ତି ଦିଲ୍ଲୀ ପରିବେଶ ମନ୍ତ୍ରୀ । ଦିଲ୍ଲୀରେ ଅଧିକାଂଶ ସ୍ଥାନରେ ବାୟୁର ମାନ ୪୦୦ ପାର କରିଛି । ଯାହା ସ୍ୱାସ୍ଥ୍ୟପ୍ରତି ଅତ୍ୟନ୍ତ କ୍ଷତିକାରଣ ବୋଲି କୁହାଯାଉଛି । ସରକାର ମଧ୍ୟ ଏ ଦିଗରେ ଚିନ୍ତା କରୁଥିବା କୁହାଯାଉଛି ।