ଓଡ଼ିଶା 365 (ବ୍ୟୁରୋ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ। ଲାଞ୍ଚ ନେଉଥିବା ବେଳେ ରାଜସ୍ୱ ନିରୀକ୍ଷକଙ୍କୁ ମାଡିବସିଲା ଭିଜିଲାନ୍ସ ଟିମ୍। ମାଲକାନଗିରି ଜିଲ୍ଲା ମୋଟୁ ସର୍କଲର ରାଜସ୍ୱ ନିରୀକ୍ଷକ ସୂରଜ ଚନ୍ଦ୍ର ବଳ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଏକ ଜବରଦଖଲ ମାମଲାରେ ନୋଟିସ୍ ଜାରି କରିବା ପାଇଁ ଜଣେ ଅଭିଯୋଗକାରୀଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ସୂରଜ ।
ପୂର୍ବରୁ ୧୦ ହଜାର ଟଙ୍କା ନେଇସାରିଥିବା ରାଜସ୍ୱ ନିରୀକ୍ଷକ ସୂରଜ ଆଜି ଆଉ ବାକି ୧୫ ହଜାର ଟଙ୍କା ନେଉଥିବା ବେଳେ ପୂର୍ବରୁ ଅଭିଯୋଗ ପାଇ ଛପି ବସିଥିବା ଭିଜିଲାନ୍ସ ଟିମ ତାଙ୍କୁ ମାଡିବସିଥିଲା । ଘଟଣାସ୍ଥଳରୁ ନଗଦ ୧୫ ହଜାର ଟଙ୍କା ଜବତ ହୋଇଥିଲା। ଏହା ପରେ ଭିଜିଲାନ୍ସ ପକ୍ଷରୁ ଆରଆଇ ସୂରଜଚନ୍ଦ୍ର ବଳଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।