ଓଡ଼ିଶା 365 (ବ୍ୟୁରୋ): ବିପକ୍ଷ ନେତାଙ୍କୁ ଆପଲର ସତର୍କ ସୂଚନା ନେଇ ବର୍ତ୍ତମାନ ରାଜନୀତି ଜୋର ଧରିବାରେ ଲାଗିଛି । ସରକାର ଜାଣିଶୁଣି ଏପରି କରୁଥିବା ଅଭିଯୋଗ କରିଛନ୍ତି ବିରୋଧୀ । ଏହାରି ଭିତରେ ଏହାକୁ ନେଇ ଏକ ବଡ଼ ଖବର ଆସି ପହଞ୍ଚିଛି । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତରଫରୁ ଗୁରୁବାର ଦିନ ଆପଲ କମ୍ପାନୀକୁ ଏକ ନୋଟିସ ଜାରି କରାଯାଇଛି । ଏଥିରେ କୁହାଯାଇଛି କି, ଏହା ରାଜ୍ୟ ପ୍ରାୟୋଜିତ ବୋଲି କଣ ପ୍ରମାଣ ଅଛି ତାହା ଦାଖଲ କର ।
କିଛି ଦିନ ତଳେ ବିରୋଧୀ ନେତାଙ୍କ ଆଇଫୋନକୁ ଏକ ଆଲର୍ଟ ମେସେଜ ଆସିଥିଲା । ଏହି ମେସେଜ ଆପଲ କମ୍ପାନୀ ତରଫରୁ କରାଯାଇଥିଲା । ଏଥିରେ ଉଲ୍ଲେଖ ଥିଲା କି ଆପଣଙ୍କ ଫୋନ ହ୍ୟାକ କରିବାକୁ ଚେଷ୍ଟା କରାଯାଉଛି ଓ ଏହା ଏକ ରାଜ୍ୟ ପ୍ରାୟୋଜିତ ବୋଲି ମେସେଜରେ ଉଲ୍ଲେଖ ଥିଲା । ଏହାକୁ ନେଇ ସାରା ଦେଶର ରାଜନୀତି ସରଗରମ ହୋଇପଡିଥିଲା । ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ସୂଚନା ଓ ପ୍ରଜ୍ୟୁକ୍ତି ସଚିବ ଏସ କୃଷ୍ଣାନ ଗୁରୁବାର ଦିନ ବିରୋଧୀଙ୍କ ଅଭିଯୋଗ ପ୍ରସଙ୍ଗ ଉଠାଇଥିଲେ ।