ଓଡ଼ିଶା 365 (ବ୍ୟୁରୋ): ଅଧିକାଂଶ ଲୋକଙ୍କୁ ଖାଦ୍ୟ ପଦାର୍ଥରେ କଞ୍ଚା ଲଙ୍କା ଖାଇବା ଭାରି ପସନ୍ଦ । ସେହିପରି ଖାଦ୍ୟର ସ୍ୱାଦ ବଢାଇବା ପାଇଁ ଲଙ୍କା ବ୍ୟବହାର ହୁଏ । ବେଳେ ବେଳେ ଅନେକ ଲୋକ ଅତ୍ୟଧିକ ମାତ୍ରାରେ ଲଙ୍କା ଖାଇବାକୁ ପସନ୍ଦ କରନ୍ତି । ଲଙ୍କା କେବଳ ଖାଦ୍ୟର ସ୍ୱାଦ ବଢାଏ ନାହିଁ ବରଂ ଅନେକ କ୍ଷେତ୍ରରେ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । କିନ୍ତୁ କିଛି ଲୋକ ବିଲକୁଲ ଲଙ୍କା ଖାଇବା ଉଚିତ୍ ନୁହେଁ । ଏହା ତାଙ୍କ ପାଇଁ କ୍ଷତିକାରକ ହୋଇପାରେ । ତେବେ କେଉଁମାନେ ଲଙ୍କା ଖାଇବା ଉଚିତ ନୁହେଁ ଆସନ୍ତୁ ଜାଣିବା…
ଆଜମା ତଥା ଶ୍ୱାସ ସମ୍ବନ୍ଧୀୟ ସମସ୍ୟା ଥିବା ବ୍ୟକ୍ତି ଭୁଲରେ ବି ଲଙ୍କା ଖାଇବା ଉଚିତ ନୁହେଁ । ଅଧିକ ଲଙ୍କା ଖାଇବା ଦ୍ୱାରା ଆଜମା ଆଟାକ୍ କରିପାରେ । ଯଦି ଆପଣ ଆଜ୍ମା ରୋଗରେ ପୀଡିତ କିମ୍ବା କୌଣସି ଶ୍ୱାସ ସମ୍ବନ୍ଧୀୟ ରୋଗରେ ପୀଡିତ ଅଛନ୍ତି , ତେବେ ନାଲି ଲଙ୍କା ଠାରୁ ଦୂରେଇ ରୁହନ୍ତୁ । ସେହିପରି ଯେଉଁମାନଙ୍କର କୋଷ୍ଠକାଠିନ୍ୟ ସମସ୍ୟା ରହିଛି, ସେମାନେ ମଧ୍ୟ ଲଙ୍କା ଖାଇବା ଉଚିତ୍ ନୁହେଁ । ନଚେତ୍ ଏହି ସମସ୍ୟା ପାଇଲ୍ସର ରୂପ ନେଇଥାଏ । ଏହା ବ୍ୟତୀତ, ଯେଉଁମାନଙ୍କ ପାଖରେ ପୂର୍ବରୁ ପାଇଲସ୍ ସମସ୍ୟା ଅଛି, ସେମାନେ ଲଙ୍କା ବ୍ୟବହାର କରିବା ଆଦୌ ଉଚିତ୍ ନୁହେଁ ।
ଯେଉଁମାନଙ୍କ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ରହିଛି ସେମାନେ ମଧ୍ୟ ଲଙ୍କା ଠାରୁ ଦୂରେଇ ରହିବା ଉଚିତ । ଯଦି ଆପଣଙ୍କ କୁଣ୍ଡଇ ହେବା, ଚର୍ମରେ କୌଣସି ଦାଗ ପଡିବା କିମ୍ବା ଚର୍ମ ନାଲି ପଡି ଯାଉଥାଏ ତେବେ ଲଙ୍କା ଖାଆନ୍ତୁ ନାହିଁ । କଞ୍ଚା ଲଙ୍କାରେ କ୍ୟାପସାଇସିନ୍ ଥାଏ, ଯାହା ଏହି ସମସ୍ୟାକୁ ଆହୁରି ବଢାଇ ଦେଇଥାଏ । ସେହିପରି ଯେଉଁମାନଙ୍କ ଅଲସର୍ ସମସ୍ୟା ରହିଛି, ସେମାନେ ମଧ୍ୟ ଲଙ୍କା ଖାଇବା ଉଚିତ ନୁହେଁ । ଲଙ୍କା ଖାଇବା ଦ୍ୱାରା କ୍ଷତ ଆହୁରି ଗଭୀର ହୋଇଥାଏ, ଏଥିସହ ସମସ୍ୟା ଆହୁରି ବଢିବା ଆଶଙ୍କା ରହିଥାଏ ।
ଆସିଡିଟି ସମସ୍ୟା ଥିବା ଲୋକଙ୍କୁ ମଧ୍ୟ ଲଙ୍କା ଖଇବା ଠାରୁ ଦୂରେଇ ରହିବା ଉଚିତ । ବିଶେଷ କରି ନାଲି ଲଙ୍କା ଭୁଲ୍ରେ ବି ଖାଇବା ଉଚିତ ନୁହେଁ । ଏହାଦ୍ୱାରା ପେଟରେ ଯନ୍ତ୍ରଣା ଏବଂ ଆସିଡିଟି ସମସ୍ୟା ବଢିଥାଏ । ଏହାବ୍ୟତୀତ ଯେଉଁବ୍ୟକ୍ତି ଅଧିକ ପରିମାଣରେ ଲଙ୍କା ଖାଆନ୍ତି, ସେମାନଙ୍କୁ ଡାଇରିଆ ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ତେଣୁ ଲଙ୍କା ଠାରୁ ନିଜକୁ ଦୂରେଇ ରଖନ୍ତୁ ।