ଓଡ଼ିଶା 365(ବ୍ୟୁରୋ):ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଏକ ଦସ୍ତାବିଜ ଲିକ୍ ହେବାର ଖବର ଆସିଛି। ଯାହାକୁ ନେଇ ସୃଷ୍ଟି ହୋଇଛି ବଡ଼ ବିବାଦ। ଦସ୍ତାବିଜ ଅନୁଯାୟୀ, ଗାଜାର ଲୋକଙ୍କୁ ଇଜିପ୍ଟର ସିନାଇ ଅଞ୍ଚଳକୁ ପଠାଇବାକୁ ଯୋଜନା କରିଛି ଇସ୍ରାଏଲ । ଏହି ଯୋଜନାକୁ ଇସ୍ରାଏଲ୍ ସେନା ପ୍ରସ୍ତୁତ କରିଥିବା କୁହାଯାଉଛି। ୱିକିଲିକ୍ସ ଏହାର X ହ୍ୟାଣ୍ଡେଲରେ ଏହି ଡକ୍ୟୁମେଣ୍ଟ ସହିତ ଲେଖିଛି, ହମାସ ଆକ୍ରମଣର ଏକ ସପ୍ତାହ ପରେ ଇସ୍ରାଏଲର ମିନିଷ୍ଟ୍ରି ଅଫ ଇଣ୍ଟେଲିଜେନ୍ସ ପ୍ରସ୍ତୁତ କରିଛି ଦଶ ପୃଷ୍ଠାର ଗୁପ୍ତ ଡକ୍ୟୁମେଣ୍ଟ। ତେବେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସହମତି ବିନା ଏଭଳି ଯୋଜନା ପ୍ରସ୍ତୁତ ହେବା ସମ୍ଭବପର ନୁହେଁ ବୋଲି କୁହାଯାଉଛି। ଏହି ଯୋଜନାରେ ଗାଜାର ପାଲେଷ୍ଟାଇନ ଜନସଂଖ୍ୟାକୁ ମିଶରର ସିନାଇକୁ ପଠାଇବା ବିଷୟରେ ଆଲୋଚନା ହୋଇଛି। ଏହି ଯୋଜନା ବିଷୟରେ ଲେଖାଯାଇଛି, ଗ୍ରାଉଣ୍ଡ ଅଭିଯାନ ଆରମ୍ଭ କରିବା ପୂର୍ବରୁ ପ୍ରଥମେ ଇସ୍ରାଏଲର ରଣନୀତି ହେଉଛି ଉତ୍ତର ଗାଜାର ଲୋକଙ୍କୁ ଦକ୍ଷିଣ ଗାଜାକୁ ଯିବାକୁ ନିର୍ଦ୍ଦେଶ ଦେବା। ଆଉ ଯାହାକୁ ଇସ୍ରାଏଲ କରିସାରିଛି । ଏହାପରେ ଉତ୍ତର ଗାଜାରୁ ଅଭିଯାନ ଆରମ୍ଭ କରି ଦକ୍ଷିଣ ଗାଜା ଆଡକୁ ମୁହାଁଇବ ସେନା। ସାମରିକ ଅପରେସନ ସମୟରେ ଦକ୍ଷିଣ ଗାଜା ସହିତ ମିଶରର ରାଫା କ୍ରସିଂ ପଏଣ୍ଟ ଖାଲି ରଖାଯିବ। ଫଳରେ ଲୋକମାନେ ସହଜରେ ସେଠାକୁ ଯାଇପାରିବେ। ଇଜିପ୍ଟର ସିନାଇର ଉତ୍ତର ଅଞ୍ଚଳରେ ବସ୍ତି ଏବଂ ସହର ପ୍ରତିଷ୍ଠା କରାଯିବ। ଯାହାଦ୍ୱାରା ସେଠାରେ ପାଲେଷ୍ଟାଇନ ଜନସଂଖ୍ୟା ରହିପାରିବେ। ଏହି ଦସ୍ତାବିଜ ସର୍ବପ୍ରଥମେ ହିବ୍ରୁର ୱେବସାଇଟ୍ ମେକୋମିଟରେ ଦେଖିବାକୁ ମିଳିଥିଲା।
ତେବେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହାକୁ କାଳ୍ପନିକ ଅଭ୍ୟାସ ବୋଲି କହି ଖାରଜ କରିବାକୁ ଚେଷ୍ଟା କରାଯାଇଛି। କିନ୍ତୁ ଏହି ଦସ୍ତାବିଜ ସାମ୍ନାକୁ ଆସିବା ପରେ ଉଭୟ ପାଲେଷ୍ଟାଇନ ଏବଂ ଇଜିପ୍ଟ ସରକାର ଏହାକୁ କଡ଼ା ସମାଲୋଚନା କରିଛନ୍ତି। ଇଜିପ୍ଟ ଅନୁଭବ କରୁଛି, ଇସ୍ରାଏଲ ଗାଜାର ସମସ୍ୟାକୁ ମିଶରର ସମସ୍ୟା କରିବାକୁ ଯୋଜନା କରିଛି। ଇଜିପ୍ଟକୁ ଏତେ ସଂଖ୍ୟକ ଜନସଂଖ୍ୟା ସ୍ଥାନାନ୍ତର ହେବା ସମସ୍ୟା ସୃଷ୍ଟି କରିବ।
୧୯୪୮ ମସିହାରେ ଇସ୍ରାଏଲ୍ ଗଠନ ପୂର୍ବରୁ ଯୁଦ୍ଧ ସମୟରେ ପ୍ରାୟ ୭ ଲକ୍ଷ ପାଲେଷ୍ଟାଇନୀୟଙ୍କୁ ନିଜ ଘର ଛାଡି ବର୍ତ୍ତମାନର ଇସ୍ରାଏଲ୍ ଅଞ୍ଚଳରୁ ପଳାଇବାକୁ ପଡିଥିଲା। ପାଲେଷ୍ଟାଇନରେ ଏହାକୁ ନାକବା ବା ବିପର୍ଯ୍ୟୟ ବୋଲି କୁହାଯାଏ।ଶାନ୍ତି ଆସିବା ପରେ ସେମାନେ ଫେରିବେ ବୋଲି ଆଶା କରି ନିଜ ଘରେ ତାଲା ପକାଇ ଚାଲି ଯାଇଥିଲେ । ମାତ୍ର ଆଜିପର୍ଯ୍ୟନ୍ତ ସେମାନେ ଫେରିପାରି ନାହାଁନ୍ତି। ଇସ୍ରାଏଲ ସେମାନଙ୍କୁ ଫେରିବାକୁ ଦେଇନାହିଁ। ସେହି ପାଲେଷ୍ଟାଇନୀୟମାନଙ୍କର ଜନସଂଖ୍ୟା ବର୍ତ୍ତମାନ ୬ ନିୟୁତ। ସେମାନେ ଲେବାନନ୍, ସିରିଆ ଏବଂ ଜୋର୍ଡାନର ଶରଣାର୍ଥୀ ଶିବିରରେ ରହୁଛନ୍ତି। ଗାଜାର ଅଧିକାଂଶ ବାସିନ୍ଦା ମଧ୍ୟ ପାଲେଷ୍ଟାଇନ ଶରଣାର୍ଥୀ। ଯେଉଁମାନେ ବର୍ତ୍ତମାନର ଇସ୍ରାଏଲର ସୀମା ଅଞ୍ଚଳ ଛାଡି ଗାଜାରେ ପହଞ୍ଚିଥିଲେ। ଏହା ମଧ୍ୟରେ ଆଶଙ୍କା କରାଯାଉଛି, ଇସ୍ରାଏଲ ସେନା ଉତ୍ତର ଗାଜା ଏବଂ ଦକ୍ଷିଣ ଗାଜାକୁ ଭାଗ ଭାଗ କରି ପୁରା ଫିଲିସ୍ତିନି ଲୋକଙ୍କୁ ଦକ୍ଷିଣ ଗାଜାକୁ ପଠାଇବାକୁ ଚାହୁଁଛି । କାରଣ ଉତ୍ତର ଗାଜା ହେଉଛି ହମାସର କେନ୍ଦ୍ରସ୍ଥଳ ଏବଂ ଏହାକୁ ସମ୍ପୂର୍ଣ୍ଣ ହଟାଇବାକୁ ଯୋଜନା ରହିଛି । ଏହାଦ୍ୱାରା ଦୀର୍ଘଦିନ ଧରି ଅପରେସନ ଜାରି ରହିବା ସହ ସାଧାରଣଲୋକଙ୍କୁ ହତ୍ୟା କରାଯିବାର ଆରୋପ ମଧ୍ୟ ଲାଗିବ ନାହିଁ । ଏମିତିରେ ଉତ୍ତର ଗାଜାର ୧୧ ଲକ୍ଷ ଜନସଂଖ୍ୟା ମଧ୍ୟରୁ ଏହା ପ୍ରାୟ ୮ ଲକ୍ଷ ଲୋକଙ୍କୁ ଦକ୍ଷିଣ ଗାଜା ଯିବାକୁ ଚାପପ୍ରୟୋଗ କରାଯାଇସାରିଛି। ଯଦି ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଏହି ଯୋଜନା ବାସ୍ତବରେ ସଫଳ ହୁଏ, ତେବେ ଆରବ ଦେଶମାନଙ୍କ କ୍ରୋଧକୁ ରୋକିବା କଷ୍ଟକର ହୋଇପଡ଼ିବ। ତେବେ ଏହା କେତେ ସତ କେତେ ମିଛ ତାହା ଜଣାପଡ଼ିନାହିଁ ।