ଓଡ଼ିଶା 365 (ବ୍ୟୁରୋ): ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କୁ ସାମାନ୍ୟ ଆଶ୍ୱସ୍ତି। ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ପ୍ରତାପଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ । ସାଲେପୁର ଜେଏମଏଫସି କୋର୍ଟଙ୍କୁ ରେକର୍ଡ ତଲବ କରିଛନ୍ତି ଉଚ୍ଚ ନ୍ୟାୟାଳୟ । ଡିସେମ୍ବର ୧୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ତଳକୋର୍ଟ ନିର୍ଦ୍ଦେଶକୁ ହାଇକୋର୍ଟରେ ଚାଲେଞ୍ଜ କରିଛନ୍ତି ବିଧାୟକ ପ୍ରତାପ ଜେନା। ଗତକାଲି ସାଲେପୁର ଜେଏମଏଫସି କୋର୍ଟ ପ୍ରତାପ ଜେନାଙ୍କୁ ଆସନ୍ତା ୧୮ ତାରିଖରେ କୋର୍ଟରେ ହାଜର ହେବାକୁ ନୋଟିସ୍ ଜାରି କରିଥିଲେ । ଗତ ଅକ୍ଟୋବର ୩୧ ତାରିଖରେ କୋର୍ଟରେ ହାଜାର ହେବାକୁ ପ୍ରତାପ ଜେନାଙ୍କୁ ନୋଟିସ୍ ଜାରି କରାଯାଇଥିଲା କିନ୍ତୁ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ କୋର୍ଟରେ ହାଜର ହୋଇନଥିଲେ । ନିଜ ଓକିଲଙ୍କ ଜରିଆରେ ପକ୍ଷ ରଖିଥିଲେ । ତେବେ ହାଇକୋର୍ଟରେ ପ୍ରତାପ ଜେନାଙ୍କ ଚାଲେଞ୍ଜ ପରେ ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ପ୍ରତାପଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ।
ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବରରେ ପ୍ରତାପଙ୍କ ବିରୋଧରେ ତଦନ୍ତ ଜାରି ରଖିବା ସହ ଭୁବନେଶ୍ୱର କୋର୍ଟକୁ ମାମଲା ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ତଥ୍ୟ, ପ୍ରମାଣ, ସାକ୍ଷୀଙ୍କ ବୟାନ ଆଧାରରେ ପ୍ରତାପଙ୍କ ବିରୋଧରେ ଆସିଥିବା ହତ୍ୟା ଅଭିଯୋଗର ତଦନ୍ତ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ୨୦୨୧ ଜାନୁଆରୀ ୩ ତାରିଖରେ ବିଜେପି ନେତା ତଥା ପୂର୍ବତ ମାହାଙ୍ଗା ବ୍ଳକ ଅଧ୍ୟକ୍ଷ କୁଳମଣି ବରାଳ ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ଦିବ୍ୟସିଂଘ ବରାଳଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ପରେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଥିବା ପ୍ରଫୁଲ ବିଶ୍ୱାଳଙ୍କ ଟାଙ୍ଗି-କଟକ ରାସ୍ତା ସନ୍ଦେହଜନକ ଭାବେ ଟ୍ରକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ଏଥିରେ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଥିବା ଅଭିଯୋଗରେ ହୁଲୁସ୍ତୁଲ ହୋଇଥିଲା ରାଜ୍ୟରାଜନୀତି।