ଓଡ଼ିଶା 365 (ବ୍ୟୁରୋ): ଧିରେ ଧିରେ ଅପରାଧୀଙ୍କ ଆଡ୍ଡାସ୍ଥଳୀ ହେବାକୁ ବସିଲାଣି ଜଟଣୀ ସହର। କେଉଁଠି ଦିନ ଦିପହରେ ଆକ୍ରମଣ ହେଉଛି ତ କେଉଁଠି ବୋମା ପଡ଼ୁଛି ପୁଣି କେଉଁଠି ଘରେ ପଶି ହତ୍ୟା କରୁଛନ୍ତି ଦୁର୍ବୃତ୍ତ। ଏହି କ୍ରମରେ ଆଉ ଏକ ଚାଞ୍ଚଲ୍ୟକର ଘଟଣା ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି। ଜଟଣୀ ଥାନା ଅନ୍ତର୍ଗତ ବେଣାପଞ୍ଜରୀ ଗଡ଼ସାହି ଗାଁରେ ଅଜଣା ଦୁର୍ବୃତ୍ତର ଛୁରାମାଡ଼ରେ ଜଣେ ନାବାଳକର ମୃତ୍ୟୁ ହୋଇଛି। ମୃତ ନାବାଳକ ଉକ୍ତ ଗାଁର ମନୋଜ ପାଲଟାସିଂଙ୍କ ପୁଅ ଶୁଭମ ସ୍ୱରୂପ ପାଲଟାସିଂ। ସେ ଷଣ୍ଢପୁର ସ୍ଥିତ ଆଦର୍ଶ ବିଦ୍ୟାଳୟର ଛାତ୍ର ଥିଲେ। ହତ୍ୟାର କାରଣ ଜଣାପଡ଼ି ନଥିଲେ ମଧ୍ୟ ସ୍କୁଲର ପୂର୍ବ ଗଣ୍ଡଗୋଳ କିମ୍ବା ପାରିବାରିକ ଶତ୍ରୁତାକୁ କେନ୍ଦ୍ର କରି ଏହି ଛୁରାମାଡ଼ ହୋଇଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ହତ୍ୟାକାରୀ ସଂପର୍କରେ ଏଯାଏଁ କୌଣସି ଟେର୍ ପାଇନି ପୋଲିସ।
ସୂଚନାନୁଯାୟୀ, ଗତକାଲି ସଂଧ୍ୟା ପ୍ରାୟ ୬ଟା ବେଳେ ଶୁଭମ ତଳ ମହଲାରେ ଥିବା ଘରେ ପଢ଼ୁଥିଲେ। ତାଙ୍କ ବାପା ଓ ଭଉଣୀ ଉପର ମହଲାରେ ଥିବା ଘରେ ପିଲାମାନଙ୍କୁ ଟ୍ୟୁସନ୍ କରୁଥିଲେ। ଏହି ସମୟରେ ଜଣେ ଅଜଣା ବ୍ୟକ୍ତି ଘର କବାଟ ବାଡ଼େଇଥିଲା। ଶୁଭମ ଘର କବାଟ ଖୋଲିବା ପରେ ଦୁର୍ବୃତ୍ତଟି ଜବରଦସ୍ତ ଭିତରେ ପଶି ନାବାଳକଙ୍କ ପେଟ, ବେକ ଓ ଛାତିରେ ଛୁରାମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା। ଶୁଭମଙ୍କ ଚିତ୍କାର ଶୁଣି ତାଙ୍କ ମା’ ଧାଇଁଆସି ପୁଅ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ି ଛଟପଟ ହେଉଥିବା ଦେଖି ପାଟି କରିଥିଲେ। ପରିବାର ଲୋକେ ଶୁଭମଙ୍କୁ ଗୁରୁତର ଅବସ୍ଥାରେ ଘଟଣାସ୍ଥଳରୁ ଉଦ୍ଧାର କରି ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ଗାଁକୁ ଯାଇ ଛାନଭିନ୍ ଆରମ୍ଭ କରିଥିଲା। ତେବେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି। ଅନ୍ୟପଟେ ଶୁଭମଙ୍କର କାହା ସହ କିଛି ପୂର୍ବ ଶତ୍ରୁତା ନଥିଲେ ଓ ସେ ଜଣେ ସରଳ ଓ ମେଧାବୀ ପିଲା ଥିଲେ ବୋଲି ତାଙ୍କୁ ଜାଣିଥିବା ଲୋକେ କହୁଛନ୍ତି। ଗାଁରେ ସମସ୍ତେ ତାକୁ ଭଲ ପାଉଥିଲେ। କିଏ ଓ କାହିଁକି ତାଙ୍କୁ ହତ୍ୟା ଏଭଳି ନିର୍ମମ ଭାବେ ହତ୍ୟା କଲା, ସେ ବିଷୟରେ ସେ କିଛି ଭାବି ପାରୁ ନାହାନ୍ତି ବୋଲି ତାଙ୍କ ମା’ କହିଛନ୍ତି। ତେବେ ଶୁଭମଙ୍କ ପରିବାରର ଜଣେ ସଦସ୍ୟ ଏକଦା ସରପଞ୍ଚ ଥିଲେ। ତେଣୁ ପୂର୍ବ ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥାଇ ପାରେ ବୋଲି ପୁଲିସ ସନ୍ଦେହ କରୁଛି।