ଓଡ଼ିଶା 365 (ବ୍ୟୁରୋ): ପୂର୍ବତନ ବାଚସ୍ପତି ତଥା ପୁରୀର ପୂର୍ବତନ ବିଧାୟକ ଓ ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି ଅସୁସ୍ଥ। ଦୀର୍ଘଦିନ ଅସୁସ୍ଥ ରହିବା ପରେ ଗତକିଛି ମାସ ହେବ ସୁସ୍ଥ ହୋଇଥିଲେ। ତେବେ ଗତକାଲି ସଂଧ୍ୟାରେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ ମହେଶ୍ୱର। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଥିବା ପରିବାର ପକ୍ଷରୁ ସୂଚନା ମିଳିଛି।
ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟାରେ ବଡଶଙ୍ଖଠାରେ ଗଜଲକ୍ଷ୍ମୀ ପୂଜାରେ ଯୋଗ ଦେବାକୁ ଆସିଥିଲେ ହଠାତ ଏହି ସମୟରେ ଥରି ଉଠିଥିଲେ ଶ୍ରୀ ମହାନ୍ତି। ଏହାପରେ ତାଙ୍କୁ ଭୁବନେଶ୍ୱର ଅଣାଯାଇ ଏକ ଘରୋଇ ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଛି । ୧୯୩୯ ମସିହାର ଡିସେମ୍ବର ୩୧ ତାରିଖର ଅବିଭକ୍ତ କଟକ ଜିଲ୍ଲାର ବାଲିକୁଦା ଥାନା ଅନ୍ତର୍ଗତ ଓଷକଣା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ମହେଶ୍ୱର । ୧୯୫୮ ମସିହାରେ ସେ ବାଲିକୁଦା ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍ ଶିକ୍ଷା ଶେଷ କରିବା ପରେ ରେଭେନ୍ସା ମହାବିଦ୍ୟାଳୟରୁ ଆଇ.ଏ. ପାସ୍ କରିଥିଲେ। ପରେ ସେ ନିଜ ଗାଁରେ ନୂଆ କରି ଆରମ୍ଭ ହୋଇଥିବା ମଧ୍ୟ ଇଂରାଜୀ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବରେ ଯୋଗ ଦେଇଥିଲ। କିନ୍ତୁ ପ୍ରଧାନ ଶିକ୍ଷକ ଭାବରେ ଯୋଗ ଦେବାର ମାତ୍ର ବର୍ଷକ ପରେ ପୁଣିଥରେ ରେଭେନ୍ସା କଲେଜକୁ ଫେରିଥିଲେ । ସେଠାରୁ ଓଡ଼ିଆରେ ପ୍ରଥମେ ସ୍ନାତକ ଏବଂ ପରେ ସ୍ନାତକୋତ୍ତର ପାଶ୍ କରିଥିଲେ । ସ୍ନାତକ ପରେ ସେ ପ୍ରଥମେ ଓଡ଼ିଶା ଷ୍ଟେଟ୍ କୋଅପରେଟିଭ୍ ୟୁନିଅନ୍ ଅଧିନରେ ସମବାୟ ସମାଚାର, କଲ୍ୟାଣୀ ଓ ଓଡ଼ିଶା କୋଅପରେଟିଭ୍ ଜର୍ଣ୍ଣାଲ୍ ପ୍ରଭୃତିର ସହ-ସମ୍ପାଦକା ଭାବରେ କାର୍ଯ୍ୟାରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସମ୍ପାଦକ ପଦକୁ ମଧ୍ୟ ଉନ୍ନୀତ ହୋଇଥିଲେ ।
୧୯୬୮ ମସିହାରେ ସେ କୋଅପରେଟିଭ୍ ୟୁନିଅନ୍ରୁ ଇସ୍ତଫା ଦେଇ କଟକସ୍ଥିତ ଖ୍ରୀଷ୍ଟ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଜଣେ ଅଧ୍ୟାପକ ଭାବରେ ଯୋଗ ଦେଇଥିଲେ ସେଠାରୁ ୨୦୦୧ ମସିହାରେ ଅବସର ନେଇଥିଲେ। ପରେ ଶ୍ରୀ ମହାନ୍ତି ରାଜନୀତିରେ ଯୋଗ ଦେଇଥିଲେ। ପୁରୀର ପୂର୍ବତନ ବିଧାୟକ ଥିଲେ ମହେଶ୍ୱର ମହାନ୍ତିା ୧୯୬୫ ମସିହାରେ ତାଙ୍କୁ ତାଙ୍କ ରଚିତ ଶିଶୁ ସାହିତ୍ୟ ପୁସ୍ତକ ‘ବେଲୁନ୍ ଗଲା ଉଡ଼ି’ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ୨୦୧୧ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ବାଲ୍ ସାହିତ୍ୟ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।