ଆପଣ ଜାଣନ୍ତି ସନାତନ ଧର୍ମରେ ଯଦି କୌଣସି ମାସକୁ ପୂନ୍ୟ ବା ଧର୍ମ ମାସ କୁହାଯାଏ ସେ ହେଉଛି କାର୍ତ୍ତିକ ମାସ । ହେଲେ ଆପଣ ଜାଣନ୍ତିକି ବାସ୍ତବରେ ଏହି ମାସକୁହିଁ କାହିଁକି କୁହାଯାଇଥାଏ ଧର୍ମ ମାସ ? ତେବେ ଅକ୍ଟୋବର ରୁ ନଭେମ୍ବର ଭିତରେ ପଡିଥାଏ ଆମ ହିନ୍ଦୁ ପଞ୍ଜିକା ଅନୁସାରେ କାର୍ତ୍ତିକ ମାସ ବା ଧର୍ମ ମାସ । କୃତ୍ତିକା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାସକୁ କାର୍ତ୍ତିକ ମାସ କୁହାଯାଏ ।ଏହାର ପୂର୍ବବର୍ତ୍ତୀ ମାସ ଆଶ୍ୱିନ ଏବଂ ପରବର୍ତ୍ତୀ ମାସ ମାର୍ଗଶୀର ମାସ । ଏହି ମାସଟି ଶରତ ପୂର୍ଣ୍ଣିମାରୁ ଆରମ୍ଭ କରି କାର୍ତ୍ତିକ ପୁର୍ଣ୍ଣିମା ପର୍ଯ୍ୟନ୍ତ ଚାଲି ଥାଏ । କାର୍ତ୍ତିକ ମାସରେ ଦୀପ ଦାନ କରିବା ଏବଂ ଗଙ୍ଗାରେ ସ୍ନାନ କରିବାକୁ ବେଶ୍ ଖାସ ମହତ୍ତ୍ଵ ଦିଆଯାଏ।ଏହା କରିବା ଦ୍ଵାରା ସବୁ ପାପ ନଷ୍ଟ ହୋଇଥାଏ ବୋଲି ବିଶ୍ଵାସ କରାଯାଏ।ନାରଦୀୟ ପୁରାଣ ମତେ ମାସ ମଧ୍ୟରେ କାର୍ତ୍ତିକ ମାସ ହେଉଛି ଶ୍ରେଷ୍ଠ ମାସ। ଏହା ଧର୍ମ ମାସ ହୋଇଥିବାରୁ ଏହି ମାସଟିକୁ ନିଷ୍ଠା ସହକାରେ ପାଳନ କରାଯାଏ ।
ବିଶ୍ଵଜନନୀ କରୁଣାମୟୀ ମା ଦୁର୍ଗାଙ୍କ ଶାରଦୀୟ ବନ୍ଦନା ପରେପରେ ଚନ୍ଦ୍ର ଏବଂ ମା କାଳୀଙ୍କ ଆରାଧନା ଅତ୍ୟନ୍ତ ଆଡ଼ମ୍ବର ସହକାରେ ସମାହିତ ହୁଏ ଏହି ମାସରେ।ଦେବ ସେନାପତି ଚିର କୁମାର କାର୍ତ୍ତିକେୟଙ୍କ ଆରାଧନା ମଧ୍ୟ ଏହି ମାସରେ ଅତ୍ୟନ୍ତ ଉତ୍ସାହର ସହିତ ସମ୍ପାଦିତ ହୁଏ ଓଡ଼ିଶାର ପୁରପଲ୍ଲୀରେ । ଏହି ମାସରେ ଅନେକ ମହତ୍ତ୍ଵପୂର୍ଣ୍ଣ ପର୍ବପର୍ବାଣି ପଡିବା ସହିତ ସାରା ମାସ ଧରି ବିଭିନ୍ନ ଧର୍ମାନୁଷ୍ଠାନ କରାଯାଇଥାଏ । ସୂର୍ଯ୍ୟ ଯେତେବେଳେ ତାଙ୍କର ଦକ୍ଷିଣାୟନ ଆରମ୍ଭ କରନ୍ତି ଓ ତୁଳା ରାଶିକୁ ପ୍ରବେଶ କରନ୍ତି କାର୍ତ୍ତିକ ମାସ ଆରମ୍ଭ ହୁଏ।ଏହି ମାସ ଏଭଳି ପବିତ୍ର ଯେ ଏ ମାସର ଯେ କୌଣସି ଦିନରେ ଧାର୍ମିକ କାର୍ଯ୍ୟାନୁଷ୍ଠାନ ଆଦି ଆରମ୍ଭ କରାଯାଇପାରେ।ପ୍ରବାଦ ଅଛି ଏହି ମାସରେ ଯେ କୌଣସି ଧାର୍ମିକ ଅନୁଷ୍ଠାନ କଲେ ତାହା ଧାର୍ମିକ କ୍ଷେତ୍ରକୁ ତୀର୍ଥ ଯିବାର ପୂଣ୍ୟଫଳ ପ୍ରଦାନ କରିଥାଏ ।
ପୌରାଣିକ ତଥ୍ୟ ଅନୁଯାୟୀ ପରମପିତା ବ୍ରହ୍ମା ବ୍ରହ୍ମର୍ଷି ନାରଦଙ୍କୁ କାର୍ତ୍ତିକ ମାସର ମହାତ୍ମ୍ୟ ବୁଝାଇ କହିଛନ୍ତି “ମାସ ମାନଙ୍କ ମଧ୍ୟରେ କାର୍ତ୍ତିକ, ଦେବତା ମାନଙ୍କ ମଧ୍ୟରେ ଭଗବାନ ବିଷ୍ଣୁ ଏବଂ ତୀର୍ଥମାନଙ୍କ ମଧ୍ୟରେ ବଦ୍ରିକାଧାମ ଶ୍ରେଷ୍ଠ । ଆଷାଢ଼,କାର୍ତ୍ତିକ,ମାଘ ଓ ବୈଶାଖ- ଏଇ ଚାରିମାସ ହେଉଛି ସୂର୍ଯ୍ୟଙ୍କର ଅୟନାନ୍ତ କାଳ ସମ୍ଭବତଃ ଏହି ଅୟନାନ୍ତ ଦିବସମାନଙ୍କରେ ସୌରଦେବଙ୍କ ଉପାସନା କରାଯାଏ।ପୌରାଣିକ ଅନୁଧ୍ୟାନରୁ ଏହି ଚାରିମାସ ଧର୍ମ ଦୃଷ୍ଟିରୁ ଶୁଭପ୍ରଦ ଏବଂ ଦେବଦେବୀଙ୍କ ଉପାସନା ସକାଶେ ଅତ୍ୟନ୍ତ ଅନୁକୂଳ । ତେଣୁ ଏହି ଚାରିମାସର ଆଦ୍ୟବର୍ଣ୍ଣ ‘ ଆ କା ମା ବୈ ’କୁ ଡଙ୍ଗା ଭସାଇବା ସମୟରେ ଗାନ କରାଯାଇଥାଏ।କୁହାଯାଏ କାର୍ତ୍ତିକ ମାସ ସମୟରେ ପ୍ରତ୍ୟେହ ଗୀତାର ଗୋଟିଏ ଶ୍ଳୋକ ପାଠ କରି ମଧ୍ୟ ମନୁଷ୍ୟ ଜୀବନ୍ମୁକ୍ତ ହୋଇପାରିବ ବୋଲି ବିଶ୍ୱାସ ରହିଅଛି ।