ଓଡ଼ିଶା 365 (ବ୍ୟୁରୋ): ଅମରପୋଇ ଏକ ଜଣାଶୁଣା ଔଷଧୀୟ ବୃକ୍ଷ । ଏହି ଗଛର ପତ୍ରରୁ ଗଜା ବାହାରେ, ଏବଂ ତାର ମୃତ୍ୟୁ ହୁଏନାହିଁ । ସେଥିପାଇଁ ଏହାକୁ ଅମରପୋଇ ବୋଲି କୁହାଯାଏ । ଏହି ଗଛ ପ୍ରାୟ ସମସ୍ତଙ୍କ ବାଡି ବଗିଚାରେ ରହିଛି । ଏହି ବୃକ୍ଷର ଔଷଧୀୟ ନାଁ ହେଉଛି ବ୍ରାୟୋଫାଇଲମ୍ । ଦେହର କୌଣସି ସ୍ଥାନରେ ଆଘାତ ଲାଗି ଫୁଲି ଯାଇଥିଲେ ଅମରପୋଇ ପତ୍ରକୁ ଗରମ କରି ଏକ କପଡାରେ ଭର୍ତ୍ତି କରି ସେହି ସ୍ଥାନରେ ବାନ୍ଧି ଦିଅନ୍ତୁ । ଏହା ଆପଣଙ୍କୁ ଆରାମ ଦେବ ।ଏହାକୁ ଖଣ୍ଡିଆ ସ୍ଥାନରେ ମଧ୍ୟ ବ୍ୟବହାର କରିପାରିବେ । ଏହି ପତ୍ରକୁ ବାଟି ଖଣ୍ଡିଆ ସ୍ଥାନରେ ବାନ୍ଧିବା ଦ୍ୱାରା ରକ୍ତସ୍ରାବ କମିଯାଇଥାଏ ଏବଂ ଖଣ୍ଡିଆ ଭଲ ହୋଇଯାଇଥାଏ । ସେହିପରି ଆଖିପୀଡା ପାଇଁ ମଧ୍ୟ ଏହା ବହୁତ ଲାଭଦାୟକ । ଅମରପୋଇ ପତ୍ରକୁ ବାଟି ଏକ କପଡାରେ ବାନ୍ଧି ଆଖି ଉପରେ ରଖନ୍ତୁ । ଏହା ଦ୍ୱାରା ଆଖିରେ ହେଉଥିବା ପୀଡାରୁ ଆରାମ ମିଳିଥାଏ । ଛୋଟ ପିଲାଙ୍କର ଦାନ୍ତ ଉଠିବାରେ ବିଳମ୍ବ ହେଉଥିଲେ ଏହି ପତ୍ରକୁ ଦାନ୍ତ ମୂଳରେ ଘସନ୍ତୁ । ଏହା ଦ୍ୱାରା ଦାନ୍ତ ଶୀଘ୍ର ଉଠିଯିବ ।
ଏହାସହିତ ପରିସ୍ରା ପୋଡା ହେଉଥିଲେ ଗୋଟେ ଗ୍ଲାସ୍ କ୍ଷୀରରେ ଏକ ଚାମଚ ଅମରପୋଇ ଡାଳର ଗୁଣ୍ଡ ପକାଇ ପିଇଲେ ଆରାମ ମିଳିଥାଏ । ମହୁ ସହ ଏହାର ରସ ଦିନକୁ ଦୁଇ ଥର ପିଇଲେ ମଧ୍ୟ ଉପକାର ମିଳେ । କାଶ କିମ୍ବା କଫ ହେଉଥିଲେ ଅମରପୋଇ ପତ୍ର ଏବଂ ମୂଳର ଗୁଣ୍ଡକୁ ଏକ ଚାମଚ ମହୁରେ ମିଶାଇ ଖାଆନ୍ତୁ । ଏହା ଦ୍ୱାରା କାଶ ବା କଫ ସମସ୍ୟାରୁ ମୁକ୍ତି ମିଳିବ । ସବୁଠୁ ବଡ଼ କଥା ହେଉଛି, ଯଦି ଆପଣଙ୍କ ପେଟରେ ଷ୍ଟୋନ୍ ହେଇଛି ତେବେ ଏହି ଡାଳକୁ ପାଣିରେ ବାଟି ସେହି ପାଣିକୁ ଦିନରେ ୩ ଥର ପିଅନ୍ତୁ । ଏହା ଦ୍ୱାରା ଷ୍ଟୋନ୍ ଆପେ ଆପେ ମିଳେଇଯାଇଥାଏ । ଶିଳାଜିତ୍ ସହ ଏହାର ପ୍ରୟୋଗ ଆହୁରି ଲାଭଦାୟକ । ଯଦି ପେଟ ଦରଜ ହେଉଥାଏ ତା’ ହେଲେ ଦୁଇ ତିନୋଟି ଅମରପୋଇ ପତ୍ରକୁ ଲୁଣ ସହ ଖାଆନ୍ତୁ । ଏହାର ପତ୍ରର ରସ ବାହାର କରି ମଧ୍ୟ ଗୋଟେ ଚାମଚ ପିଇଲେ ପେଟ ଦରଜରୁ ଆରମ୍ ମିଳିଥାଏ ।