ଓଡ଼ିଶା 365 (ବ୍ୟୁରୋ): ଭାରତୀୟ ସେନା ଫିଲ୍ଡ ମାର୍ଶଲ ସାମ ମାନେକ୍ସାଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ସାମ୍ ବାହାଦୂର’କୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଭିକି କୌଶଲଙ୍କ ଅଭିନୀତ ଏହି ଫିଲ୍ମର ଟିଜର ମଧ୍ୟ ରିଲିଜ୍ ହୋଇସାରିଛି । ଯାହା ଦର୍ଶକମାନଙ୍କ ମନକୁ ଛୁଇଁଛି । ଏହାକୁ ଦେଖି ପ୍ରଶଂସକଙ୍କ ଉତ୍ସାହ ଅଧିକା ବଢିଯାଇଛି । ‘ସାମ୍ ବାହାଦୂର’ର ଟିଜର ସାମ୍ନାକୁ ଆସିବା ପରେ ସବୁଠି ଏହି ଫିଲ୍ମର ଜୋରଦାର ଚର୍ଚ୍ଚା ହେଉଛି । ଏଥିରେ ଭିକି କୌଶଲ ଭାରତୀୟ ସେନାର ଫିଲ୍ଡ ମାର୍ଶଲ ସାମ୍ ମାନେକ୍ସାଙ୍କ ଭୂମିକାରେ ଅଭିନୟ କରିଛନ୍ତି ।ସୂଚନା ମୁତାବକ, ୧୯୭୧ ମସିହାରେ ହୋଇଥିବା ଭାରତ-ପାକିସ୍ତାନୀ ଯୁଦ୍ଧରେ ମାନେକ୍ସା ଭାରତୀୟ ସେନାର ମୁଖ୍ୟ ଥିଲେ।ଯାହାକୁ ଅତି ନିଖୁଣ ଭାବେ ଅଭିନୟ କରିଛନ୍ତି ଭିକି କୌଶଲ । ଫିଲ୍ମ ‘ଉରି’ ପରେ ସେନା ୟୁନିଫର୍ମରେ ଭିକିଙ୍କର ଜବରଦସ୍ତ ଲୁକ୍ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି । ଏହି ଫିଲ୍ମରେ ଭିକିଙ୍କ ବ୍ୟତୀତ ‘ଦଙ୍ଗଲ’ ଚଳଚ୍ଚିତ୍ର ଅଭିନେତ୍ରୀ ସାନ୍ୟା ମାଲହୋତ୍ରା ଏବଂ ଫାତିମା ସେନ୍ ଶେଖଙ୍କୁ ମଧ୍ୟ ଏକ ଗୁରୁତ୍ୱପୂର୍ଣ ଭୂମିକାରେ ଦେଖିବାକୁ ମିଳିଥିଲା ।
ଖବର ଅନୁଯାୟୀ, ଗୋଟିଏ ପଟେ ସାନ୍ୟା ସାମ ମାନେକ୍ସାଙ୍କ ପତ୍ନୀ ଭୂମିକାରେ ଅଭିନୟ କରୁଥିବାବେଳେ ଅନ୍ୟ ପଟେ ଫାତିମା ଦେଶର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିଛନ୍ତି । ‘ସାମ୍ ବାହାଦୂର’ ରେ ଦେଶପ୍ରେମରେ ପରିପୂର୍ଣ୍ଣ ସଂଳାପ ରହିଛି । ସେପଟେ ଟିଜର ଦେଖିସାରିବା ପରେ ସମସ୍ତେ ଉତ୍ସାହର ସହିତ ଭିକି କୌଶଲଙ୍କ ‘ସାମ୍ ବାହାଦୂର’କୁ ବଡ଼ ପରଦାରେ ଦେଖିବାକୁ ଅପେକ୍ଷା କରିଥିବାବେଳେ, ନିର୍ଦ୍ଦେଶକ ମେଘନା ଗୁଲଜାରଙ୍କ ଏହି ଚଳଚ୍ଚିତ୍ର ୧ ଡିସେମ୍ବର ୨୦୨୩ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି ।