ଓଡ଼ିଶା 365 (ବ୍ୟୁରୋ): ଏସ୍ପିଙ୍କ ନାଁରେ ଟଙ୍କା ନେଉଥିଲା ବୌଦ୍ଧ ଜିଲ୍ଲା ସଦର ଥାନା ଅଧୀନ ବଘିଆପଡ଼ା ଫାଣ୍ଡିର ଡିଭିଏଫ କନ୍ଷ୍ଟେବଲ। ଗାଁକୁ ଗାଁ ବୁଲି ବୈଠକ କରି ଗଞ୍ଜେଇ ଚାଷୀଙ୍କଠାରୁ ଆଦାୟ କରୁଥିଲା ଟଙ୍କା। ଆଜି ଗୋଟିଏ ଗାଁରୁ ୬ ଲକ୍ଷ ଟଙ୍କା ଧରି ଫେରୁଥିବା ବେଳେ କନ୍ଷ୍ଟେବଲ୍କୁ ମାଡ଼ି ବସିଲା ଭିଜିଲାନ୍ସ। ତାଙ୍କ ଠାରୁ ୬ ଲକ୍ଷ ଟଙ୍କା ସହ ପିସ୍ତଲ ଜବତ କରିଛି। ବୌଦ୍ଧ ଏସ୍ପିଙ୍କ ସ୍ପେଶାଲ୍ ସ୍କ୍ୱାର୍ଡରେ ନିୟୋଜିତ ହୋଇଥିଲେ କନଷ୍ଟେବଲ୍ ହରୀଶ ଚନ୍ଦ୍ର ସାହୁ। ଗଞ୍ଜେଇ ଚାଷ ହେଉଥିବା ବିଭିନ୍ନ ଗାଁକୁ ସେ ଯାଉଥିଲା। ଆଉ ଏସ୍ପିଙ୍କ ନାଁ କହି ଗାଁରେ ବୈଠକ କରୁଥିଲା। ପରେ ଟଙ୍କା ମାଗୁଥିଲା। କେଉଁ ଗାଁରୁ ୧୦ ଲକ୍ଷ ଆଣୁଥିଲା ତ ଆଉ କେଉଁ ଗାଁରୁ ୭ ଲକ୍ଷ ଟଙ୍କା ଆଣୁଥିଲା। ଆଉ କେଉଁ ଗାଁରୁ ୬ ଲକ୍ଷ ଟଙ୍କା ଆଣୁଥିଲା। ଗାଁ ଲୋକ ଟଙ୍କା ଦେବାକୁ ମନା କଲେ, ଚାଷ ହୋଇଥିବା ଗଞ୍ଜେଇ ନଷ୍ଟ କରିଦିଆଯିବ ବୋଲି ଧମକ ଦେଉଥିଲା। କିଛି ଉପାୟ ନପାଇ ଗାଁ ଲୋକେ ଟଙ୍କା ଦେଉଥିଲେ।
ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲା ବଘିଆପଡା ଫାଣ୍ଡି ସରକାରୀ ପୁଲିସ କ୍ୱାର୍ଟର ନିକଟରୁ ଆଜି ବୌଦ୍ଧ ଭିଜିଲାନ୍ସ ବିଭାଗ ଡିଭିଏଫ କନେଷ୍ଟବଳ ହରିକ୍ରିଷ୍ଣ ସାହୁଙ୍କୁ ଗିରଫ କରିଛି। ସେ ଜଣଙ୍କ ଠାରୁ ୬ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଗଞ୍ଜେଇ ଗଛ ନଷ୍ଟ ନ କରିବା ତଥା ଗଞ୍ଜେଇ ଚାଷକୁ ସୁରକ୍ଷା ଦେବା ପାଇଁ ଟଙ୍କା କାରବାର ହୋଇଥିଲା ବୋଲି କୁହାଯାଉଛି। ଗଂଜେଇ ମାଫିଆଙ୍କଠାରୁ ଟଙ୍କା ଆଦାୟ କରି ଟଙ୍କା ସରକାରୀ କ୍ଵାଟରରେ ରଖିଥିବା ସୂଚନା ପାଇ ବୌଦ୍ଧ ଓ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ଚଢ଼ଉ କରିଥିଲା।