ଓଡ଼ିଶା 365 (ବ୍ୟୁରୋ): ଗତ କିଛି ଦିନ ହେବ ଆରବିଆଇ ଅଫିସ ନାମ୍ନାରେ ଧାଡି ୨ ହଜାର ଟଙ୍କିଆ ନୋଟ୍ ବଦଳାଉଛନ୍ତି ଶ୍ରମିକ ଓ ମଜୁରିଆ। ୨ ଦିନ ପରେ ବି ମୂଲିଆଙ୍କ ପାଖରୁ ଟଙ୍କାର ଭଣ୍ଡାର ସରୁନି ? ଆହୁରି ବାହାରୁଛି ବିଡା ବିଡା ନୋଟ ? ସନ୍ଦେହ ଖାଲି ସାଧାରଣ ଲୋକଙ୍କ ମନରେ ନ ଥିଲା । ଇଓଡବ୍ଲ୍ୟୁ ସନ୍ଦେହ କରିଥିଲା । ବୁଝୁ ବୁଝୁ ଖୋଲିଥିଲା ଟଙ୍କାର ଗୁମର । ଏ ଥିଲା କଳା ଧନକୁ ଧଳା କରିବା ପାଇଁ ଚାଲିଛି କି ପ୍ରୟାସ ? ହାତରେ ଆଉ ମାତ୍ର ୬ ଦିନ । ଟିକସ ଫାଙ୍କି ପାଖରେ ରଖିଥିଲେ କୋଟି କୋଟି ଟଙ୍କା ଆଉ ଏବେ ପଡିଛନ୍ତି କି ଅଠାକାଠିରେ ? ତେଣୁ ଏବେ ମୂଲିଆ ମଜୁରିଆଙ୍କୁ ଅସ୍ତ୍ର କରିଛନ୍ତି କି କୋଟିପତି ବ୍ୟବସାୟୀମାନେ ? ଏ ଟଙ୍କା ବଦଳ ପଛରେ କିଛି ରାକେଟର ହାତ ଅଛି କି ? ଏ ଲମ୍ବା ଭିଡକୁ ଦେଖି ଏମିତି ପ୍ରଶ୍ନ ଖାଲି ସାଧାରଣରେ ଉଠିଥିଲା। ତେବେ ଏହି ଘଟଣାରେ ଇଓଡବ୍ଲ୍ୟୁ ପରେ ତନାଘନା କରୁଛି ଇଡି।
ଶୁଣିବାକୁ ମିଳୁଛି, ୨୦ ହଜାର ଟଙ୍କା ବଦଳାଇଦେଲେ କୁଆଡେ ୨୦୦ ଟଙ୍କା ମିଳୁଛି । ତେଣୁ ୨୦୦ ଟଙ୍କା ଲୋଭରେ କାମ ଛାଡି କୁଆଡେ ଟଙ୍କା ଭଙ୍ଗେଇବାକୁ ଧାଡିରେ ଛିଡା ହୋଇଛନ୍ତି ଶ୍ରମିକ । ଦୈନିକ ୭ ଶହରୁ ଅଧିକ ଲୋକ ଆସୁଛନ୍ତି ଟଙ୍କା ବଦଳାଇବା ପାଇଁ । ଆଜି ପ୍ରଥମେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ବା ଇଓଡବ୍ଲ୍ୟୁର ୨ ଜଣିଆ ଟିମ ଆସି ପଚରା ଉଚରା କରିଥିଲା । ଆଧାରକାର୍ଡ ଦେଖିବା ସହ ନାଁ ପଚାରି ବୁଝିଥିଲା । ନିଜ ଟଙ୍କା ନା ଆଉ କାହାର ସେ ବିଷୟରେ ମଧ୍ୟ ପଚାରି ବୁଝିଥିଲେ । ଇଓଡବ୍ଲୁ ଯିବା ପରେ ପହଞ୍ଚିଥିଲା ଇଡି । ଧାଡିରେ ଛିଡା ହୋଇଥିବା ବ୍ୟକ୍ତିଙ୍କୁ କେଉଁଠୁ ଟଙ୍କା ଆସିଲା ? ତୁମର ନା ଆଉ କିଏ ଦେଇଛି ଏସବୁ ସମ୍ପର୍କରେ ପଚାରିଥିଲା । ଆରବିଆଇ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ନିର୍ଦ୍ଦେଶକ କହିଛନ୍ତି, ଦୈନିକ ୨ କୋଟିର ୨ ହଜାର ଟଙ୍କିଆ ନୋଟ ବଦଳ ଓ ଜମା ପାଇଁ ଆସୁଛି । ୯୫ ପ୍ରତିଶତ ବଦଳ ହେଉଛି, ୫ ପ୍ରତିଶତ ଜମା ହେଉଛି ।