ଓଡ଼ିଶା 365 (ବ୍ୟୁରୋ): ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଜେଡି ବିଧାୟକ ପ୍ରତାପ ଜେନାଙ୍କ ପାଇଁ ଅଡ଼ୁଆ ବଢିବାରେ ଲାଗିଛି। ଆସନ୍ତା ୧୮ ତାରିଖରେ କୋର୍ଟରେ ହାଜର ହେବାକୁ ପ୍ରତାପ ଜେନାଙ୍କୁ ନୋଟିସ୍ ଜାରି କରିଛନ୍ତି ସାଲେପୁର ଜେଏମଏଫସି କୋର୍ଟ । ଗତ ଅକ୍ଟୋବର ୩୧ ତାରିଖରେ କୋର୍ଟରେ ହାଜାର ହେବାକୁ ପ୍ରତାପ ଜେନାଙ୍କୁ ନୋଟିସ୍ ଜାରି କରାଯାଇଥିଲା କିନ୍ତୁ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ କୋର୍ଟରେ ହାଜର ହୋଇନଥିଲେ । ନିଜ ଓକିଲଙ୍କ ଜରିଆରେ ପକ୍ଷ ରଖିଥିଲେ ।
ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବରରେ ପ୍ରତାପଙ୍କ ବିରୋଧରେ ତଦନ୍ତ ଜାରି ରଖିବା ସହ ଭୁବନେଶ୍ୱର କୋର୍ଟକୁ ମାମଲା ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ତଥ୍ୟ, ପ୍ରମାଣ, ସାକ୍ଷୀଙ୍କ ବୟାନ ଆଧାରରେ ପ୍ରତାପଙ୍କ ବିରୋଧରେ ଆସିଥିବା ହତ୍ୟା ଅଭିଯୋଗର ତଦନ୍ତ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ୨୦୨୧ ଜାନୁଆରୀ ୩ ତାରିଖରେ ବିଜେପି ନେତା ତଥା ପୂର୍ବତ ମାହାଙ୍ଗା ବ୍ଳକ ଅଧ୍ୟକ୍ଷ କୁଳମଣି ବରାଳ ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ଦିବ୍ୟସିଂଘ ବରାଳଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ପରେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଥିବା ପ୍ରଫୁଲ ବିଶ୍ୱାଳଙ୍କ ଟାଙ୍ଗି-କଟକ ରାସ୍ତା ସନ୍ଦେହଜନକ ଭାବେ ଟ୍ରକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ଏଥିରେ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଥିବା ଅଭିଯୋଗରେ ହୁଲୁସ୍ତୁଲ ହୋଇଥିଲା ରାଜ୍ୟରାଜନୀତି।