ଓଡ଼ିଶା 365 (ବ୍ୟୁରୋ): ଦାୟିତ୍ୱ ଗ୍ରହଣ ପରେ ପୁରୀ ଆସି ପୁଣି ଜଗାଦର୍ଶନ କଲେ ମହାମହିମ ରାଜ୍ୟପାଳ ରଘୁବର ଦାସ। ଶପଥ ଗ୍ରହଣ ପୂର୍ବରୁ ମଧ୍ୟ ସପରିବାର ପୁରୀ ଆସି ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ଓଡ଼ିଶାର ଗରିବଙ୍କ କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ। ଏହାର ଦୁଇଦିନ ପରେ ଅର୍ଥାତ ଶପଥ ଗ୍ରହଣ ପରେ ଆସି ପୁଣିଥରେ ଶ୍ରୀମନ୍ଦିର ଜଗା ଦର୍ଶନ କରିଛନ୍ତି। ରାଜ୍ୟପାଳ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର ଗସ୍ତ ହୋଇଥିବା ବେଳେ ସିଂହଦ୍ୱାର ଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି।
ସୂଚନାଯୋଗ୍ୟ, ସୋମବାର ଶ୍ରୀଜୀଉଙ୍କୁ ଦର୍ଶନ କରି ରଘୁବର ଗଣମାଧ୍ୟମକୁ କହିଥିଲେ, ଓଡ଼ିଶାର ଦାୟିତ୍ବ ନେବା ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେଲି। ଗରିବ, ନିଷ୍ପେଷିତଙ୍କ ସେବା ପାଇଁ ମୋତେ ମହାପ୍ରଭୁ ଏଠାକୁ ଆଣିଛନ୍ତି। ମୋ ପାଇଁ ଓଡ଼ିଶାର ବିକାଶ ସର୍ବାଗ୍ରେ ରହିବ। ସମ୍ବିଧାିନର ନିୟମ ଅନୁଯାୟୀ କାର୍ଯ୍ୟ କରିବି।ରାଜ୍ୟପାଳଙ୍କ ରାଜଭବନର ଦ୍ବାର ସମସ୍ତଙ୍କ ପାଇଁ ଉନ୍ମୁକ୍ତ ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୂଳ ମନ୍ତ୍ର ଦେଶ ସହ ରାଜ୍ୟକୁ ଆଗକୁ ନେବା ଲାଗି ପ୍ରୟାସ କରିବି। କେନ୍ଦ୍ର ସରକାରଙ୍କ ବିକାଶର ଯୋଜନା କିପରି ତୃଣମୂଳ ସ୍ତରରେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିପାରିବ ସେନେଇ ଗୁରୁତ୍ୱ ରହିବ। ଓଡ଼ିଶାର ପ୍ରଗତି ଦେଶର ପ୍ରଗତି ତେଣୁ ଓଡ଼ିଶାରେ ଏକପାଖିଆ ନହୋଇ ସୁଶାସନ ହୋଇପାରିବ ସେଦିଗରେ ଧ୍ୟାନ ରହିବ। ଲୋକଙ୍କ ସମସ୍ୟା ଶୁଣିବା ପାଇଁ ୨୪ ଘଣ୍ଟା ରାଜଭବନର ଦ୍ୱାର ଖୋଲା ରହିବ ବୋଲି ଦମ୍ଭୋକ୍ତି କରିଥିଲେ ଶ୍ରୀ ଦାସ। ଓଡ଼ିଶାର ଗରିବୀ ହଟେଇବା ମୁଖ୍ୟ ଲକ୍ଷ୍ୟ ରହିବ।