ଓଡ଼ିଶା 365 (ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହେଲା ବହୁ ପ୍ରତିକ୍ଷୀତ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ। ଭିଡିଓ କନଫରେନ୍ସିଂରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ରାଷ୍ଟ୍ରମନ୍ତ୍ରୀ ଏସ ପି ସିଂହ ବାଘେଲ। ୪୮୧ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଥିବା ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜରେ ୧୦୦ ଏମବିବିଏସ୍ ସିଟରେ ନାମଲେଖା ପାଇଁ ନେସନାଲ୍ ମେଡିକାଲ୍ କାଉନସିଲ୍ ଠାରୁ ଅନୁମତି ମିଳିଛି। ଏହି ମେଡିକାଲ କଲେଜ ଓ ହସ୍ପିଟାଲଟିର ନାମ କଳାହାଣ୍ଡି ଜିଲ୍ଲାର ମହାନ ସ୍ଵାଧୀନତା ସଂଗ୍ରାମୀ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଓ ହସ୍ପିଟାଲ ରଖାଯାଇଛି। ଆଜିର ଉଦଘାଟନୀ ଉତ୍ସବରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରମୁକ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, କଳାହାଣ୍ଡିରେ ଏକ ନୂଆ ମେଡିକାଲ୍ କଲେଜ ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୨୦ ମସିହା ସେପ୍ଟେମ୍ବର ମାସରେ ଅନୁମୋଦନ ମିଳିଥିଲା । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ କଳାହାଣ୍ଡିର ବିଜେପି ଲୋକସଭା ସଦସ୍ୟ ବସନ୍ତ ପଣ୍ଡାଙ୍କୁ ଚିଠି ଲେଖି ଜଣାଇଥିଲେ। ପତ୍ରରେ ବସନ୍ତ ପଣ୍ଡାଙ୍କ ନେତୃତ୍ବରେ ଏହି ନୂଆ ମେଡିକାଲ୍ କଲେଜ ପ୍ରତିଷ୍ଠା ହେଲେ ସେହି ଅଞ୍ଚଳର ଲୋକଙ୍କର ଚିକିତ୍ସା ସୁବିଧାକୁ ପୂରଣ କରିବ ଏବଂ ସୁସ୍ଥ ଓ ପ୍ରଗତିଶୀଳ ଭାରତ ଗଠନରେ ସହାୟକ ହେବ ବୋଲି ଲେଖିଥିଲେ ଡାକ୍ତର ହର୍ଷବର୍ଦ୍ଧନ।