ଓଡ଼ିଶା 365 (ବ୍ୟୁରୋ): ଦିନକୁ ଦିନ ଦେଶର ବିଭିନ୍ନ ସ୍ଥାନରେ ବଢୁଛି ଓଡ଼ିଆଙ୍କ ଦବଦବା। ଏହୁି କ୍ରମରେ ଜମ୍ମୁ କଶ୍ମୀରର ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କଲେ ଓଡ଼ିଆ ପୁଅ ରଶ୍ମି ରଞ୍ଜନ ସ୍ବାଇଁ। ଜମ୍ମୁ କଶ୍ମୀରର ୧୭ ତମ ଡିଜିପି ଭାବେ ଦିଲବାଗ ସିଂଙ୍କ ଅବସର ପରେ ତାଙ୍କ ଠାରୁ ଏହି ଦାୟିତ୍ବ ଗ୍ରହଣ କରିଛନ୍ତି ରଶ୍ମି ରଞ୍ଜନ। ନୂଆ ଦାୟିତ୍ବ ନେବା ପରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ବୈଠକରେ ଆଲୋଚନା କରିଛନ୍ତି । ୧୯୯୧ ବ୍ୟାଚର ଆଇପିଏସ ଅଧିକାରୀ ରଶ୍ମିରଞ୍ଜନ ସ୍ବାଇଁ।ଜମ୍ମୁ କାଶ୍ମୀରରେ ରଶ୍ମି ରଞ୍ଜନଙ୍କ ବହୁ ଅଭିଜ୍ଞତା ରହିଛି । ସେ ୨୦୦୦ ରୁ ୨୦୦୩ ପର୍ଯ୍ୟନ୍ତ ଶ୍ରୀନଗର ଏସଏସପି ଭାବେ କାର୍ଯ୍ୟ କରିଛନ୍ତି । ଏହାପରେ ଅର୍ଥାତ୍ ୨୦୦୩-୦୪ ପର୍ଯ୍ୟନ୍ତ ଏସଏସପି ଜମ୍ମୁ ଭାବେ କାର୍ଯ୍ୟ କରିଛନ୍ତି ।
କେବଳ ଶ୍ରୀନଗର ଜମ୍ମୁ ନୁହେଁ ସେ ରାମବନ, ପୁଞ୍ଚ ଓ ଲେହରେ ମଧ୍ୟ ଏସଏସପି ଭାବେ କାର୍ଯ୍ୟ କରି ଅଭିଜ୍ଞତା ସାଉଁଟିଛନ୍ତି । ଏହାସହ ସେ ବିଦେଶରେ ମଧ୍ୟ ନିଯୁକ୍ତି ପାଇଥିଲେ । ସେହିପରି ୨୦୦୪-୦୬ ପର୍ଯ୍ୟନ୍ତ ଜମ୍ମୁ କାଶ୍ମୀରରେ ସତର୍କତା ସଙ୍ଗଠନରେ ସହାୟକ ମହାନିରିକ୍ଷକ ଓ ପୋଲିସ ମହାନିରିକ୍ଷକ ଭାବେ କାର୍ଯ୍ୟ କରିଛନ୍ତି । ରଶ୍ମି ରଞ୍ଜନ ୧୫ ବର୍ଷ ପାଇଁ କେନ୍ଦ୍ରୀୟ ଡେପୁଟେସନରେ ମଧ୍ୟ ଯାଇଥିଲେ । ପରେ କୋଭିଡ ସମୟ ଅର୍ଥାତ ଜୁନ ମାସ ୨୦୨୦ରେ ତାଙ୍କୁ ଜମ୍ମୁ କାଶ୍ମୀରରେ ପୁଣି ନିଯୁକ୍ତି ଦିଆଯାଇଥିଲା । ଏହାସହ ସହ ସେ ଗୁଇନ୍ଦା ମୁଖ୍ୟ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ଗୁଇନ୍ଦା ମୁଖ୍ୟ ଭାବେ ଆତଙ୍କବାଦର ସଫଳତାର ସହ ମୁକାବିଲା କରିଥିଲେ। ବହୁ ଆତଙ୍କବାଦ ନେଟୱର୍କ ଧ୍ବଂସ, ଆତଙ୍କବାଦକୁ ପାଣ୍ଠି ଯୋଗାଉଥିବା ସଂସ୍ଥାର ମୂଳୋତ୍ପାଟନ ସହ ବିଭିନ୍ନ ସମୟରେ ହେଉଥିବା ପଥରମାଡ଼କୁ ରୋକିବାରେ ସଫଳ ହୋଇଥିଲେ।