ଓଡ଼ିଶା 365 (ବ୍ୟୁରୋ) : ଚାଲିଛି ଇସ୍ରାଏଲ- ହମାସ ମଧ୍ୟରେ ଘମାଘୋଟ ଯୁଦ୍ଧ । ବିଶ୍ୱ ହୋଇଛି ଥରହର। ଯୁଦ୍ଧକୁ ନେଇ ଏବେ ଦୁଇ ଫାଳ ହୋଇଛି ବିଶ୍ୱ । ଅନେକ ଦେଶ ଇସ୍ରାଏଲକୁ ସମର୍ଥନ କରିଥିବା ବେଳେ ଅନେକ ଦେଶ ପାଲେଷ୍ଟାଇନ ସମର୍ଥିତ ହମାସକୁ ସମର୍ଥନ କରୁଛନ୍ତି । ଏହାରି ଭିତରେ ଭାରତ ଇସ୍ରାଏଲକୁ ସମର୍ଥନ କରିଛି । ଯାହାକୁ ନେଇ କିଛି ଆତଙ୍କୀ ଗୋଷ୍ଠୀ ଭାରତ ଉପରେ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି । ଜମ୍ମୁକାଶ୍ମୀର , ମଣିପୁରରେ ଆତଙ୍କବାଦୀମାନେ ଆକ୍ରମଣ କରି ଧନଜୀବନ ନଷ୍ଟ କରୁଥିବା ବେଳେ କେରଳରେ ଟିଫିନ ବୋମା ବିସ୍ଫୋରଣ ଘଟି ତିନି ଜଣଙ୍କର ମୃତ୍ୟୁ ହୋଇଛି । ଏରନାକୁର୍ଲାମ ଜିଲ୍ଲାରେ ଜିଓଭା ସାକ୍ଷୀ ଧାର୍ମିକ କାର୍ଯ୍ୟକ୍ରମରେ ଦୁଇଟି ବୋମା ବିସ୍ଫୋରଣ ହୋଇଛି ।
ଆଇଡି ଦ୍ୱାରା ଏହି ବିସ୍ଫୋରଣ ହେବା ପରେ ଏନଆଇଏ ତଦନ୍ତ ଆରମ୍ଭ କରିଛି । ଯଦିଓ ଏଥିରେ କୈାଣସି ଆତଙ୍କବାଦୀ ସଂଗଠନର ସଂପୃକ୍ତ ନେଇ ପ୍ରମାଣ ମିଳିପାରିନାହିଁ । ତେବେ କେରଳ ପରେ ଦିଲ୍ଲୀ, ମୁମ୍ବାଇ , କୋଲକତା, ଚେନ୍ନାଇ, ଅହମଦାବାଦରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆତଙ୍କବାଦୀମାନେ ଜନଗହଳିସ୍ଥାନକୁ ବିସ୍ଫୋରଣ ପାଇଁ ବାଛୁଛନ୍ତି । କେରଳରେ ମଧ୍ୟ ଧାର୍ମିକ ସମାବେଶରେ ଦୁଇ ହଜାରରୁ ଅଧିକ ଲୋକ ଉପସ୍ଥିତ ଥିଲେ ।
କେରଳ ବିସ୍ଫୋରଣକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏନଆଇଏ ଏବଂ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ ସମେତ ଆତଙ୍କବାଦ ବିରୋଧୀ ଏଜେନ୍ସିଗୁଡ଼ିକୁ ସତର୍କ ରହିବା ପାଇଁ କହିଛନ୍ତି । ଆଗାମୀ ଦିନରେ ୫ଟି ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି । ପୋଲିସକୁ ମଧ୍ୟ ଏନେଇ ସତର୍କ ରହିବାକୁ ପଡିବ । ବିଶେଷ କରି ଇସ୍ରାଏଲ-ହମାସ ଯୁଦ୍ଧ ଚାଲିଥିବାରୁ ଭାରତର ସମ୍ବେଦନଶୀଳ ସ୍ଥାନମାନଙ୍କରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ଆବଶ୍ୟକ।