ଓଡ଼ିଶା 365 (ବ୍ୟୁରୋ): ନିଜକୁ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପିଏ କହି ଠକିଥିବା କିନ୍ନର ସାଇବର ଲୁଟେରାକୁ ବାନ୍ଧିଲା ପୋଲିସ । କଟକର ଏକ ଘରୋଇ ହସ୍ପିଟାଲ ମାଲିକଠୁ ୪୬ ହଜାର ଟଙ୍କା ଲୁଟ କରିଥିଲା ଏହି ସାଇବର ଲୁଟେରା । ଗିରଫ ଲୁଟେରା ଜଣକ ହେଲା ଅନୁଗୋଳ ଜିଲ୍ଲା କିଶୋରନଗର ଅଞ୍ଚଳର ସୌମ୍ୟରଞ୍ଜନ ପ୍ରଧାନ ଓରଫ ସୁଲଗ୍ନା। ତେବେ ସେ ଜଣେ କିନ୍ନର ବୋଲି ଜଣାପଡ଼ିଛି ।
ଅଭିଯୋଗ ଅନୁଯାୟୀ, ଗତ ସେପ୍ଟେମ୍ବର ୭ ତାରିଖରେ ହସପିଟାଲ ମାଲିକଙ୍କୁ ଅବିକଳ ମନ୍ତ୍ରୀଙ୍କ ସ୍ୱରରେ କଥା ହୋଇଥିଲା ସୁଲଗ୍ନା। ଜଣେ ମହିଳାଙ୍କ ମାଧ୍ୟମରେ ଏକ ହୋମ ଯଜ୍ଞ ନାଁରେ ୩୧ କେଜି ଘିଅର ଆବଶ୍ୟକତା ଥିବା କହିଥିଲା। ମନ୍ତ୍ରୀ ଫୋନ କରିଥିବା ବିଶ୍ୱାସ କରି ସଂପୃକ୍ତ ହସ୍ପିଟାଲର ମାଲିକ ଫୋନ୍ ପେ ଜରିଆରେ ୪୬ ହଜାର ଟଙ୍କା ପଠାଇଥିଲେ। ପରେ ସେ ସାଇବର ଠକାମୀର ଶିକାର ହୋଇଥିବା ଜାଣିପାରିଥିଲେ। ପରେ ସେ ସାଇବର ଥାନାରେ ଏତଲା ଦେଇଥିଲେ। ପୁଲିସ୍ ଘଟଣାର ତଦନ୍ତ କରି ସୁଲଗ୍ନାକୁ ଗିରଫ କରିଛି। କହିରଖୁ କି, ସୁଲଗ୍ନା କିଛି ବର୍ଷ ପୂର୍ବେ ଦିଲ୍ଲୀ ଯାଇ ଏକ କିନ୍ନର ଗୋଷ୍ଠୀଙ୍କ ଠାରୁ ଏଭଳି ଠକାମୀ କୌଶଳ ଶିଖିଥିଲା। ଅଭିଯୁକ୍ତ ଜଣକ ଶହେରୁ ଊର୍ଦ୍ଧ୍ୱ ବ୍ୟକ୍ତି ହସପିଟାଲ ଓ ରେଷ୍ଟୁରାଣ୍ଟ ମାଲିକଙ୍କଠାରୁ ୧୦ ଲକ୍ଷରୁ ଊର୍ଦ୍ଧ୍ୱଟଙ୍କା ଠକିଥିବା ଜଣାପଡ଼ିଛି।