ଓଡ଼ିଶା 365 (ବ୍ୟୁରୋ): IPS ସ୍ତରରେ ଛୋଟ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ୧୯୮୮ ବ୍ୟାଚ୍ର ଆଇପିଏସ୍ ଅଫିସର ଅରୁଣ ରାୟଙ୍କୁ ରାଜ୍ୟ ପ୍ରିଣ୍ଟିଂ,ଷ୍ଟେସନାରୀ ଓ ପବ୍ଲିକେସନ୍ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ଏହା ପୂର୍ବରୁ ସେ ଗୃହମନ୍ତ୍ରାଳୟର ଓଏସଡି ଦାୟିତ୍ୱରେ ଥିଲେ।ସେହିପରି ସ୍ୱତନ୍ତ୍ର ଡିଜିପି, ଏଚ୍ଆର୍ପିସି (ମାନବାଧିକାର ସୁରକ୍ଷା ସେଲ୍) ଭାବେ କାର୍ଯ୍ୟ କରୁଥିବା ୧୯୮୯ ବ୍ୟାଚ୍ର ଆଇପିଏସ୍ ଅଫିସର ଅମୃତ ମୋହନ ପ୍ରସାଦଙ୍କୁ ଜେଲ୍ ବିଭାଗ ଡିଜି ଭାବେ ବଦଳି କରାଯାଇଛି। ୧୯୮୮ ବ୍ୟାଚ୍ ଆଇପିଏସ୍ ମନୋଜ କୁମାର ଛାବ୍ରା ଆଜି ସରକାରୀ ଚାକିରିରୁ ଅବସର ନେବା ପରେ ଅମୃତ ମୋହନ ପ୍ରସାଦଙ୍କୁ ଜେଲ୍ ବିଭାଗ ଡିଜି ଭାବେ ବଦଳି କରାଯାଇଛି। ଏହା ସହିତ ଅମୃତ ମୋହନ ପ୍ରସାଦଙ୍କୁ କରେନ୍ସନାଲ ସର୍ଭିସେସ୍ ନିର୍ଦ୍ଦେଶକ ଦାୟିତ୍ୱ ମିଳିଛି।
ଅନ୍ୟପକ୍ଷରେ ରାଜ୍ୟ ପ୍ରିଣ୍ଟିଂ,ଷ୍ଟେସନାରୀ ଓ ପବ୍ଲିକେସନ୍ ନିର୍ଦ୍ଦେଶକ ଥିବା ୧୯୯୨ ବ୍ୟାଚ୍ର ଆଇପିଏସ୍ ଅଫିସର ଲଳିତ ଦାସଙ୍କୁ ଅତିରିକ୍ତ ଡିଜିପି, ଏଚ୍ଆର୍ପିସି (ମାନବାଧିକାର ସୁରକ୍ଷା ସେଲ୍) ଭାବେ ବଦଳି କରାଯାଇଛି। ଭୁବନେଶ୍ୱର-କଟକ କମିଶନରେଟ୍ ପୁଲିସ୍ରେ ଅତିରିକ୍ତ ପୁଲିସ୍ କମିଶନର ଥିବା ୨୦୦୮ ବ୍ୟାଚ୍ର ଆଇପିଏସ୍ ଅଫିସର ଉମାଶଙ୍କର ଦାଶଙ୍କୁ ରାଜ୍ୟ ଗୁଇନ୍ଦା ଶାଖା (ଏସ୍ଆଇଡବ୍ଲ୍ୟୁ)ର ଡିଆଇଜି ଭାବେ ବଦଳି କରାଯାଇଛି। ପୁଲିସ୍ ମୁଖ୍ୟାଳୟରେ ଡିଆଇଜି ଭାବେ ଅବସ୍ଥାପିତ ହୋଇଥିବା ୨୦୦୯ ବ୍ୟାଚ୍ର ଆଇପିଏସ୍ ଅଫିସର ବ୍ରିଜେଶ କୁମାର ରାୟଙ୍କୁ ଭୁବନେଶ୍ୱର-କଟକ କମିଶନରେଟ୍ ପୁଲିସ୍ରେ ଅତିରିକ୍ତ ପୁଲିସ୍ କମିଶନର ଭାବେ ବଦଳି କରାଯାଇଛି।