ଓଡ଼ିଶା 365 (ବ୍ୟୁରୋ): ଭାରତୀୟ କ୍ରିକେଟ୍ ଟିମରେ ବର୍ତ୍ତମାନ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତି ଖେଳପ୍ରେମୀ ମାନଙ୍କୁ ନିରୁତ୍ସାହିତ କରିଛି । ଯଦିଓ ସେ ଆହତ ହୋଇଛନ୍ତି, କିନ୍ତୁ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ସଠିକ୍ ରିପୋର୍ଟ ଆସିପାରୁନାହିଁ । ସେ ମ୍ୟାଚ୍ ଖେଳିବେ କି ନାହିଁ, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରୁନି । ଏହାରି ଭିତରେ ଆଗାମୀ ମ୍ୟାଚରେ ସେ ଖେଳିବା ନେଇ ଅନୁମାନ କରାଯାଉଛି । ଭାରତୀୟ ଦଳ ପରବର୍ତ୍ତୀ ମ୍ୟାଚ୍ ୦୨ ନଭେମ୍ବର ଗୁରୁବାର ଦିନ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଶ୍ରୀଲଙ୍କା ବିପକ୍ଷରେ ଖେଳିବ, ଯେଉଁଥିରେ ଷ୍ଟାର ଅଲରାଉଣ୍ଡର ଭାରତୀୟ ଦଳରେ ଯୋଗଦେବା ନିଶ୍ଚିତ। ଅକ୍ଟୋବର ୧୯ ରେ ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ହାର୍ଦ୍ଦିକ ଆହତ ହୋଇଥିଲେ। ତାଙ୍କ ଗୋଡରେ ଆଘାତ ଲାଗିଥିଲା ।
‘ଟାଇମ୍ସ ଅଫ୍ ଇଣ୍ଡିଆ’ ସହିତ କଥାବାର୍ତ୍ତା ବେଳେ ଏକ ବିଶ୍ୱସ୍ତ ସୂତ୍ର କହିଛି ଯେ, ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇରେ ଭାରତୀୟ ଦଳରେ ଯୋଗଦେବେ। ବର୍ତ୍ତମାନ ସେ ଶ୍ରୀଲଙ୍କା ବିପକ୍ଷରେ ଖେଳିବେ କି ନାହିଁ ସେ ବିଷୟରେ ଆମେ କିଛି ସ୍ପଷ୍ଟ ଭାବରେ କହି ପାରିବୁ ନାହିଁ, କିନ୍ତୁ ସେ ଦଳରେ ଯୋଗଦେବାକୁ ପ୍ରସ୍ତୁତ ଅଛନ୍ତି।
ବାଂଲାଦେଶ ବିପକ୍ଷ ମ୍ୟାଚରେ ବୋଲିଂ କରୁଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହେବା ପରେ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଥିଲା ଯାହା ମଧ୍ୟ ସଫଳ ହୋଇଥିଲା। ସର୍ବପ୍ରଥମେ ବାଂଲାଦେଶ ବିପକ୍ଷ ମ୍ୟାଚରେ ବିରାଟ କୋହଲି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଓଭରର ତିନୋଟି ବଲ ବୋଲିଂ କରିଥିଲେ। ଏହା ପରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପରବର୍ତ୍ତୀ ମ୍ୟାଚରେ ସୂର୍ୟ୍ୟକୁମାର ଯାଦବ ହାର୍ଦ୍ଦିକଙ୍କ ସ୍ଥାନରେ ଖେଳୁଥିବା ଏକାଦଶର ଅଂଶ ହୋଇଥିଲେ। ମହମ୍ମଦ ଶାମିଙ୍କ ସ୍ଥାନରେ ଶାର୍ଦ୍ଦୁଲ ଠାକୁର ରହିଥିଲେ।