ଓଡ଼ିଶା 365(ବ୍ୟୁରୋ): ଚଳିତ ବିଶ୍ବକପରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ମ୍ୟାଚ୍ ହାରିନାହିଁ ଭାରତ । ନଭେମ୍ବର ୫ତାରିଖରେ ଭାରତ ତାର ସପ୍ତମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପଡ଼ିଆକୁ ଓହ୍ଲାଇବ ।
କୋଲକାତାର ଇଡେନ ଗାର୍ଡେନରେ ଖେଳାଯିବ ଏହି ମ୍ୟାଚ୍ । ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଦିନ ଭାରତୀୟ ଦଳର ଷ୍ଟାର୍ ବ୍ୟାଟର ବିରାଟ କୋହଲିଙ୍କ ଜନ୍ମଦିନ । ଏହି ମ୍ୟାଚ୍ ସହ କୋହଲିଙ୍କ ଜନ୍ମଦିନ ନେଇ କୋଲକାତା କ୍ରିକେଟ ଆସୋସିଏସନ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି। ଏହି ମ୍ୟାଚ୍ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି। ଏପରିକି ବିରାଟ କୋହଲିଙ୍କ ଜନ୍ମ ଦିନରେ ଅମିତ ଶାହ ଷ୍ଟାଡିୟମରେ ଉପସ୍ଥିତ ରହି ପୁରା ମ୍ୟାଚ ଦେଖିବେ ବୋଲି ଜଣାପଡିଛି ।ଏହାସହ ଦ୍ୱିତୀୟ ସେମିଫାଇନାଲ ସମେତ ଇଡେନ ଗାର୍ଡେନରେ ୫ଟି ମ୍ୟାଚ୍ ଖେଳାଯିବା ନେଇ ସ୍ଥିର ହୋଇଛି ।
ସୂଚନା ଅନୁସାରେ ନଭେମ୍ବର ୫ ତାରିଖରେ କୋହଲିଙ୍କୁ ୩୪ ପୁରି ୩୫ ବର୍ଷ ଚାଲିବ । ଏହିଦିନ ଇଡେନ ଗାର୍ଡେନରେ ଭାରତ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ରହିଛି । ତେଣୁ କ୍ରିକେଟ ଆସୋସିଏସନ ଅଫ ବେଙ୍ଗଲ କୋହଲିଙ୍କ ଜନ୍ମଦିନକୁ ସ୍ବତନ୍ତ୍ର କରିବାକୁ ବ୍ୟାପକ ପ୍ରସ୍ତୁତି କରିଛି । ମ୍ୟାଚ୍ ପୂର୍ବରୁ କେକ୍ କଟାଯିବା ସହ ୭୦ ହଜାର ଦର୍ଶକଙ୍କୁ ମାଗଣାରେ ‘କୋହଲି ମାସ୍କ’ ପ୍ରଦାନ କରାଯିବ । ଏହାପରେ କୋହଲିଙ୍କୁ ସମ୍ବର୍ଦ୍ଧିତ କରଯାଇ ମୋମେଣ୍ଟମ ପ୍ରଦାନ କରାଯିବ । ସିଏବି ସଭାପତି ସ୍ନେହାଶିଷ ଗାଙ୍ଗୁଲି କହିଛନ୍ତି, ‘କିଙ୍ଗ୍ କୋହଲିଙ୍କ ଜନ୍ମଦିନ ପାଳିବା ପାଇଁ ସିଏବି ସ୍ବତନ୍ତ୍ର ପ୍ରସ୍ତୁତି କରିଛି । ଏନେଇ ଆଇସିସି ନିକଟରୁ ଅନୁମତି ମିଳିଛି । କୋହଲି ପଡ଼ିଆକୁ ଓହ୍ଲାଇବା ବେଳେ ଦର୍ଶକ ବଣ୍ଟା ଯାଇଥିବା ମାସ୍କ ପିନ୍ଧି ତାଙ୍କୁ ସ୍ବାଗତ କରିବା ସହ ଉତ୍ସାହିତ କରିବେ ବୋଲି ଆଶା ରହିଛ । ଚଳତି ବିଶ୍ବକପରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଦମଦାର ପ୍ରଦର୍ଶନ ଜାରି ରଖିଛି । ୬ଟିରୁ ୬ଟି ଯାକ ମ୍ୟାଚ ଜିତି ଅପରାଜେୟ ରହିଛି ଭାରତ। ଅଷ୍ଟ୍ରେଲିଆ, ବାଂଲାଦେଶ, ଆଫଗାନିସ୍ତାନ, ପାକିସ୍ତାନ, ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ସମସ୍ତଙ୍କୁ ଚକମା ଦେଇ ବିଜୟ ବାନା ଉଡ଼ାଇ ଚାଲିଛି ଭାରତୀୟ ଦଳ ।