ଓଡ଼ିଶା 365 (ବ୍ୟୁରୋ): ଶୋଇବା ଘରୁ ମିଳିଲା ମାଲାୟାଲାମ୍ ଅଭିନେତ୍ରୀ ରେଞ୍ଜୁଷା ମେନନଙ୍କ ମୃତ ଦେହ । ତିରୁବନନ୍ତପୁରମର ଶ୍ରୀକର୍ଯ୍ୟସ୍ଥିତ ତାଙ୍କ ଆପାର୍ଟମେଣ୍ଟରୁ ଗତକାଲି ରାତିରେ ମିଳିଥିଲା ରେଞ୍ଜୁଷାଙ୍କ ମୃତ ଦେହ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୩୫ ବର୍ଷୀୟ ଅଭିନେତ୍ରୀ ତାଙ୍କ ସ୍ୱାମୀ ମନୋଜଙ୍କ ସହ ରହୁଥିବା ଫ୍ଲାଟରେ ଝୁଲନ୍ତା ଅବସ୍ଥାରେ ମିଳିଥିଲେ।
ସୂଚନା ଅନୁଯାୟୀ, ସେ ନିଜେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ପୁଲିସ କହିଛି । ଅଭିନେତ୍ରୀ ଜଣକ ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ ବୋଲି ଜଣାପଡିଛି । ପରେ ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।
ରେଞ୍ଜୁସା ବିଭିନ୍ନ ଫିଲ୍ମ ଓ ଧାରାବାହିକରେ ସହ କଳାକାର ଭାବେ କାମ କରିଥିଲେ। ‘ସିଟି ଅଫ୍ ଗଡ୍’, ‘ମେରିକୁଣ୍ଡୋରୁ କୁଞ୍ଜଡୁ’, ‘ବମ୍ବେ ମାର୍ଚ’, ‘କର୍ୟାସ୍ଥାନ’, ‘ୱାନ୍ ୱେ ଟିକେଟ୍’, ‘ଆଠଭୁଥା ଦ୍ବିପୁ’ ସମେତ ଅନେକ ଟେଲିଭିଜନ ଧାରାବାହିକ ଏବଂ ଚଳଚ୍ଚିତ୍ରରେ ସହାୟକ ଭୂମିକା ପାଇଁ ବେଶ୍ ଜଣାଶୁଣା ଥିଲେ ।
ସେପଟେ, ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମରେ ଏକ ମଜାଦାର ଭିଡିଓ ପୋଷ୍ଟ କରିଥିଲେ । ହେଲେ ତାଙ୍କର ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ତାଙ୍କ ପ୍ରଶଂସକମାନେ ଶୋକପ୍ରକାଶ କରିଥିବା ଦେଖିବାକୁ ମିଳିଛି ।