ଓଡ଼ିଶା 365 (ବ୍ୟୁରୋ): ବସ୍ ଘର୍ମଘଟ ନେଇ ବଡ଼ ନିଷ୍ପତ୍ତି ନେଇଛି ଘରୋଇ ବସ୍ ମାଲିକ ସଂଘ। ଆସନ୍ତା ୮ ତାରିଖରେ ରାଜ୍ୟରେ ବସ୍ ଧର୍ମଘଟ ନେଇ ନିଷ୍ପତ୍ତି ନିଆଯିବ । ଅଲ୍ ଓଡିଶା ବସ୍ ମାଲିକ ସଂଘର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ଏକ ସାମ୍ବାଦିକ ସମ୍ମିଳୀ ମାଧ୍ୟମରେ ଘୋଷଣା କରିଛି ଘରୋଇ ବସ୍ ମାଲିକ ସଂଘ ।
ସୂଚନାମୁତାବକ, ନଭେମ୍ବର ୮ ତାରିଖରେ ଭବାନୀପାଟଣାରେ ବସ୍ ମାଲିକ ସଂଘର ଏକ ବୈଠକ ହେବ । ଉକ୍ତ ବୈଠକରେ ସଂଘ ପକ୍ଷରୁ ବସ୍ ଧର୍ମଘଟ ବିଷୟରେ ନିଷ୍ପତ୍ତି ନିଆଯିବ । ତେବେ ନଭେମ୍ବର ୧ ତାରିଖରେ ଭବାନୀପାଟଣାରେ ଲକ୍ଷ୍ମୀ ବସ୍ ଚାଲିବାର କାର୍ଯ୍ୟକ୍ରମ ଅଛି । ସେହିଦିନ ଯଦି ବ୍ଲକରୁ ଜିଲ୍ଲାକୁ ଲକ୍ଷ୍ମୀ ବସ୍ ଚାଲେ ତେବେ ଧର୍ମଘଟ ହେବ ବୋଲି ଅଲ୍ ଓଡିଶା ବସ୍ ମାଲିକ ସଂଘ ପକ୍ଷରୁ କୁହାଯାଇଛି । ତେବେ ଭବାନୀପାଟଣା ସହ ଆଖପାଖ ୧୦ଟି ଜିଲ୍ଲାରେ ଧର୍ମଘଟ ହେବା ନେଇ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । କିନ୍ତୁ ସରକାର ଯଦି ଆମର ଦାବିକୁ ମାନିନିଅନ୍ତି, ତେବେ ଏହି ଧର୍ମଘଟ ହେବ ନାହିଁ ବୋଲି କହିଛନ୍ତି ଘରୋଇ ବସ୍ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ।