ଓଡ଼ିଶା 365 (ବ୍ୟୁରୋ): ପୁଣି ଯବାନଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ । ଯବାନଙ୍କୁ ନେଇ ଯାଉଥିବା ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ଖବର ଆସି ପହଞ୍ଚୁଛି। ଗୁଜରାଟ ପଞ୍ଚମହଲର ଜିଲ୍ଲାରେ ଏହି ବଡ଼ଧରଣର ସଡ଼କ ଦୁର୍ଘଟଣା ହୋଇଛି । ଏସଆରପିର ଯବାନଙ୍କୁ ନେଇ ଯାଉଥିବା ଏକ ବସ୍ ପାହାଡ଼ିଆ ଅଞ୍ଚଳରେ ଓଲଟି ପଡ଼ିଥିଲା। ଫଳରେ ଏହି ଦୁର୍ଘଟଣାରେ ଅତିକମରେ ୩୮ ଜଣ ଏସଆରପି କର୍ମଚାରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯ ଜଣଙ୍କ ଅବସ୍ଥା ଗମ୍ଭୀର ରହିଥିବା ଜଣାପଡ଼ିଛି ।
ଗୁଜରାଟର ପଭଗଡ଼ରେ ହେଉଥିବା ଏକ ୩ ଦିନିଆ ପ୍ରଶିକ୍ଷଣ କାର୍ୟ୍ୟକ୍ରମରେ ଯୋଗ ଦେଇ ପ୍ରାୟ ୫୦ ଯବାନ ଏକ ବସ୍ ଯୋଗେ ଡାହୋଡକୁ ଫେରୁଥିଲେ। ମାତ୍ର ଗାଡ଼ିର ବ୍ରେକ୍ ଫେଲ୍ ହେବାରୁ ଡ୍ରାଇଭର ଗାଡ଼ି ଉପରେ ନିୟନ୍ତ୍ରଣ ହରାଇ ବସିଲେ। ଏହାପରେ ଗାଡ଼ିଟି ଓଲଟି ପଡ଼ିଥିଲା। ବସରେ ମୋଟ ୫୦ ଜଣ ଯବାନ ଯାତ୍ରା କରୁଥିଲେ ବୋଲି ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ଏନେଇ ପୋଲିସ ଇନ୍ସପେକ୍ଟର କହିଛନ୍ତି, ଦୁର୍ଘଟଣା ସମୟରେ ବସରେ ୫୦ ଜଣ ଯବାନ ରହିଥିଲେ । ସେଥିମଧ୍ୟରୁ ୩୮ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ହଲୋଲର ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ଯବାନମାନଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇ ଦିଆଯାଉଛି ।