ଓଡ଼ିଶା 365 (ବ୍ୟୁରୋ): ପୁଣି ଭୟଙ୍କର ଡଙ୍ଗାବୁଡ଼ି ଘଟଣା ସାମ୍ନାକୁ ଆସିଛି । ଉତ୍ତର ନାଇଜେରିଆରେ ଏକ ଡଙ୍ଗା ବୁଡ଼ିଯିବା ଫଳରେ ସୋମବାର ୭୦ ରୁ ଅଧିକ ଲୋକ ନିଖୋଜ ହୋଇଯାଇଥିବା କୁହାଯାଉଛି । ଅଧିକାରୀଙ୍କ ପାଖରୁ ମିଳିଥିବା ସୂଚନା ଅନୁଯାୟୀ, ଆଫ୍ରିକାର ସବୁଠୁ ଅଧିକ ଜନବହୁଳ ଦେଶରେ ବାରମ୍ବାର ଏଭଳି ମାରାତ୍ମକ ଡଙ୍ଗା ଦୁର୍ଘଟଣାର ଦୁଃଖଦ ଖବର ସମ୍ନାକୁ ଆସିଥାଏ ।
ଜାତୀୟ ଜରୁରୀକାଳୀନ ସେବା କହିବା ମୁତାବକ, ଏହି ଡଙ୍ଗାଟି ଶନିବାର ବିଳମ୍ବିତ ରାତିରେ ତାରବା ରାଜ୍ୟର ଆର୍ଦୋ-କୋଲା ଜିଲ୍ଲାର ଏକ ମାଛ ବଜାରରୁ ଫେରୁଥିବା ବ୍ୟବସାୟୀଙ୍କୁ ନେଇ ଯାଉଥିବାବେଳେ, ନାଇଜେରିଆର ଅନ୍ୟତମ ବୃହତ୍ତମ ବେନୁ ନଦୀରେ ବୁଡ଼ି ଯାଇଥିଲା ।
ତେବେ ପାଖାପାଖି ୧୦୦ ରୁ ଅଧିକ ଯାତ୍ରୀ ଡଙ୍ଗାରେ ଥିଲେ ଏବଂ ସେମାନଙ୍କ ଭିତରୁ ୧୪ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ, ୧୭ ଟି ମୃତଦେହ ଉଦ୍ଧାର କରାଯାଇଛି । ଏହା ସହିତ ବାକି ୭୩ ଜଣ ନିଖୋଜ ଅଛନ୍ତି ବୋଲି ନାଇଜେରିଆର ଜାତୀୟ ଜରୁରୀକାଳୀନ ପରିଚାଳନା ଏଜେନ୍ସିର ମୁଖ୍ୟ ଲଦନ ଆୟୁବା ଗଣମାଧ୍ୟମକୁ କହିଛନ୍ତି। ବର୍ତ୍ତମାନ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।