ଓଡ଼ିଶା 365 (ବ୍ୟୁରୋ): ଆଜି ପୂର୍ବାହ୍ଣ ୧୧ଟା ୪୫ରେ ରାଜ୍ୟପାଳ ଭାବେ ଶପଥ ନେବା ପୂର୍ବରୁ ଲିଙ୍ଗରାଜ ମନ୍ଦିର ଆସି ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ। ଏହି ସମୟରେ ନୂଆ ରାଜ୍ୟପାଳଙ୍କୁ ଭେଟି ମନ୍ଦିର ନିକଟରେ ସ୍ବାଗତ ଜଣାଇଛନ୍ତି ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ କେତେକ ନେତା । ଏହି ଅବସରରେ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସେ ପ୍ରାୟ ଅଧଘଣ୍ଟା କାଳ ପୂଜାର୍ଚ୍ଚନା କରିବା ପରେ ରାଜଭବନ ଅଭିମୁଖେ ଫେରିଛନ୍ତି।
କହିରଖୁ କି, ଆଜି ରାଜଭବନର ନୂଆ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟର ୨୬ତମ ରାଜ୍ୟପାଳ ଭାବରେ ଶପଥ ଗ୍ରହଣ କରିବେ ଶ୍ରୀ ରଘୁବର ଦାସ। ଏଣେ ରାଜଭବନରେ ସୋମବାର ଦିନ ରଘୁବର ଦାସଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରିଥିଲେ। ଏହି ଅବସରରେ ବାଚସ୍ପତି ପ୍ରମିଳା ମଲ୍ଲିକ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ପୁଲିସ କମିସନର ସୁନୀଲ ବଂଶଲ ପ୍ରମୁଖ ଉପସ୍ଥିତ ଥିଲେ। ସୋମବାର ସକାଳୁ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ। ମହାପ୍ରଭୁଙ୍କ ଦର୍ଶନ କରିବା ସହ ସେଠାରେ ଉପସ୍ଥିତ ଥିବା ଭକ୍ତମାନଙ୍କୁ ସେ ଅଭିବାଦନ ଜଣାଇଥିଲେ। ରାଜ୍ୟପାଳ ରଘୁବର ଦାସଙ୍କ ସହିତ ତାଙ୍କ ପତ୍ନୀ ବି ଜଗନ୍ନାଥ ମନ୍ଦିରକୁ ଯାଇ ଶ୍ରୀଜୀଉ ଓ ଅନ୍ୟ ପାର୍ଶ୍ବ ଦେବାଦେବୀଙ୍କ ଦର୍ଶନ କରିଥିଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାଶ ତାଙ୍କୁ ସ୍ୱାଗତ ଜଣାଇବା ସହ ଶ୍ରୀମନ୍ଦିରକୁ ପାଛୋଟି ନେଇଥିଲେ। ରଘୁବର ଦାସ ପ୍ରାୟ ଏକ ଘଣ୍ଟା କାଳ ଶ୍ରୀମନ୍ଦିରରେ ରହିବା ସହ ମହାପ୍ରଭୁଙ୍କୁ ଦେଖି ଭାବବିହ୍ୱଳ ହୋଇଥିଲେ।