ଓଡ଼ିଶା 365 (ବ୍ୟୁରୋ): ଦିନକୁ ଦିନ ଚୋରଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ଶେଷରେ ଜିଲ୍ଲାପାଳଙ୍କ ଅଫିସ ବି ଛାଡ଼ିଲେନି। ପୁଲିସ୍ ଓ ସିକ୍ୟୁରୀଟି ଗାର୍ଡ ନିୟୋଜିତ ହୋଇଥିବା ସତ୍ତ୍ୱେ ବି କଳାକନା ବୁଲେଇଦେଲେ ଲୁଟେରା। ଏନେଇ ଅଭିଯୋଗ ହେବା ପରେ ଖୋଳତାଡ ଆରମ୍ଭ କରିଛି।ରବିବାର ଅଫିସ୍ ଛୁଟି ଥିଲା। ତେଣୁ ନବରଙ୍ଗପୁର ଜିଲ୍ଲାପାଳଙ୍କ ଅଫିସ୍ ବନ୍ଦ ରହିଥିଲା। ରାତ୍ର ଯୋଗୁଆଳି ଓ ପୁଲିସ୍ କର୍ମଚାରୀମାନେ ଜଗି ରହିଥିଲେ। ଏହା ସତ୍ତ୍ୱେ ଜିଲ୍ଲାପାଳଙ୍କ ଅଫିସ୍ରୁ ଚୋରି ହୋଇଛି। ରବିବାର ରାତିରେ ଦୁର୍ବୃତ୍ତମାନେ ଗ୍ରୀଲ୍ ଓ ତାଲା ଭାଙ୍ଗି ତଳ ମହଲାରେ ପଶିଥିଲେ।
ନିର୍ବାଚନ ଉପ ବିଭାଗ କକ୍ଷ ଓ ଡେପୁଟି କଲେକ୍ଟରଙ୍କ ଅଫିସ୍ରୁ ୪ଟି ମନିଟର, ଦୁଇଟି CPU ସହ ଗୋଟିଏ ପ୍ରିଣ୍ଟର ଚୋରି କରି ନେଇଛନ୍ତି। ଆଜି ସକାଳେ କର୍ମଚାରୀମାନେ ଅଫିସ୍ ଆସିଥିବା ବେଳେ ଗ୍ରୀଲ୍ ଭାଙ୍ଗିଥିବା ଦେଖିବାକୁ ପାଇଥିଲେ। ଏନେଇ ନବରଙ୍ଗପୁର ଟାଉନ୍ ଥାନାକୁ ସୂଚନା ଦେଇଥିଲେ। ଟାଉନ୍ ଥାନା ପୁଲିସ୍ ମାମଲା ରୁଜୁ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସାଇଣ୍ଟିଫିକ୍ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ପୁଲିସ୍ ଘଟଣାର ତଦନ୍ତ କରୁଛି।