ଓଡ଼ିଶା 365 (ବ୍ୟୁରୋ) : ସାଧାରଣତଃ ସମସ୍ତେ କମଳା ଖାଇବା ପସନ୍ଦ କରିଥାନ୍ତି । ଆଉ କମଳା ଖାଇବା ପରେ ଚୋପାକୁ ଫିଙ୍ଗି ଦେଇଥାନ୍ତି । କିନ୍ତୁ ଆପଣ ଜାଣନ୍ତିକି କମଳା ଚୋପାରେ ରହିଛି ଅନେକ ଔଷଧୀୟ ଗୁଣ । ଯାହା ଶରୀର ପାଇଁ ଲାଭଦାୟକ । ଯଦିଓ ଏହି ଫଳର ଖଟା-ମିଠା ସ୍ୱାଦ ଯୁକ୍ତ ହୋଇଥାଏ । ଏଥିରେ ଥିବା ଭିଟାମିନ୍ ସି, କ୍ୟାଲସିୟମ୍ ଏବଂ ଫୋଲେଟ୍ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଏହାର ଭିତରର ଫଳକୁ ସମସ୍ତେ ଖାଇଥାଉ କିନ୍ତୁ ଏହାର ଚୋପାକୁ ଫୋପାଡି ଦେଇଥାଉ ।
ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଆପଣ କମଳା ଚୋପାର ଉପକାରିତାରୁ ବଞ୍ଚିତ ହେବେ । ତେବେ ଆସନ୍ତୁ ଜାଣିବା କମଳା ଚୋପାର ଉପକାରିତା । କମଳା ଚୋପାରେ ଭିଟାମିନ୍ ବି୬, କ୍ୟାଲସିୟମ, ଫଲେଟ୍ ଭରପୂର ମାତ୍ରାରେ ଥାଏ। କମଳା ଚୋପାରୁ ତିଆରି ହେଉଥିବା ତୈଳ ମଧ୍ୟ ଖୁବ ଭଲ । କୋଲେଷ୍ଟ୍ରଲ, ଉଚ୍ଚ ରକ୍ତଚାପ, କର୍କଟ ଆଦିର ଚିକିତ୍ସା ଏହା ଦ୍ୱାରା କରାଯାଇ ପାରେ ।
କମଳା ଚୋପା ଆମ ତ୍ବଚା ପାଇଁ କୌଣସି ଉପହାରକୁ କମ୍ ନୁହେଁ । ଯଦି ଆପଣଙ୍କ ତ୍ବଚା ତେଲିଆ ହୋଇଥାଏ ତେବେ ଏହା କୌଣସି ଔଷଧଠାରୁ କମ୍ ନୁହେଁ । ଏହାକୁ ଗୁଣ୍ଡକରି ମହୁ ସହ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ମୁହଁରେ ଲଗାନ୍ତୁ । ଆପଣଙ୍କ ମୁହଁରେ ଚମକ ଆସିବ ଏବଂ ଦାଗ ମଧ୍ୟ ଦୂର ହୋଇଯିବ । ଯଦି ଆପଣଙ୍କୁ ଆରାମଦାୟକ ନିଦ ଆସୁନାହିଁ ତେବେ ଏଥିପାଇଁ କମଳା ଚୋପାକୁ ପାଣିରେ ମିଶାଇ ଗରମ କରନ୍ତୁ । ପରେ ଏହାକୁ ପିଅନ୍ତୁ । ନିୟମିତ ଏଭଳି କରିବା ଦ୍ବାରା ରାତିରେ ଭଲ ନିଦ ଆସିଥାଏ ।
କମଳା ଚୋପାରେ ଆଣ୍ଟି ଇନ୍ଫ୍ଲାମେଟୋରୀ ଗୁଣ ରହିଥାଏ ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ । କରୋନା ଭାଇରସ୍ ମଧ୍ୟରେ ସବୁବେଳେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ କୁହାଯାଇଥାଏ । ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ କମଳା ଚୋପା ବେଶ୍ ଉପଯୋଗୀ ହୋଇପାରେ । ଏଥିପାଇଁ କମଳା ଚୋପାକୁ ଗରମ ପାଣିରେ ଧୋଇ ଖାଇପାରିବେ । କିଛି ଲୋକ ଚିନି ଏବଂ ଲେମ୍ବୁ ସହ ଏହାକୁ ଖାଇବାକୁ ପସନ୍ଦ କରନ୍ତି ।