ଓଡ଼ିଶା 365 (ବ୍ୟୁରୋ) : ଦିପାବଳୀ ପୂର୍ବରୁ ମହେନ୍ଦ୍ର ସିଂହ ଧୋନୀଙ୍କୁ ମିଳିଲା ବଡ଼ ଦାୟିତ୍ବ । ଦେଶର ସବୁଠାରୁ ବଡ଼ ପବ୍ଲିକ୍ ସେକ୍ଟର ବ୍ୟାଙ୍କ୍ , ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ବ୍ରାଣ୍ଡ୍ ଆମ୍ବାସାଡର ଭାବେ ନିଯୁକ୍ତ । ଏନେଇ ରବିବାର ନିଜର ବ୍ରାଣ୍ଡ୍ ଆମ୍ବାସାଡର ଭାବେ ଘୋଷଣା କରିଛି SBI । ଷ୍ଟେଟ୍ ବ୍ୟାଙ୍କର ବ୍ରାଣ୍ଡ୍ ଆମ୍ବାସାଡର ଭାବରେ ଏହାର ମାର୍କେଟିଂ ଏବଂ ବିଜ୍ଞାପନରେ ଭୂମିକା ଗ୍ରହଣ କରିବେ ମାହି । ଏନେଇ SBI ଅଧ୍ୟକ୍ଷ ଦୀନେଶ ଖାରା କହିଛନ୍ତି,”SBI ବ୍ରାଣ୍ଡ୍ ଆମ୍ବାସାଡର ଭାବେ ଏମ୍ଏସ୍ ଧୋନୀଙ୍କୁ ସାମିଲ କରିଥିବାରୁ ଆମେ ବେଶ ଖୁସି ।
ଏସ୍ବିଆଇ ସହିତ ଧୋନୀଙ୍କ ଆସୋସିଏସନ ଆମ ବ୍ରାଣ୍ଡକୁ ଏକ ନୂଆ ପରିଚୟ ଦେବ । ଏହି ନିଷ୍ପତ୍ତି ହେଉଛି ଏକ ସହଭାଗିତାର ସମନ୍ୱୟ । ଆମର ଲକ୍ଷ୍ୟ ହେଉଛି ବିଶ୍ବାସ, ଅଖଣ୍ଡତା ଏବଂ ନିରନ୍ତର ଉତ୍ସର୍ଗ ସହିତ ଦେଶ ତଥା ଆମର ଗ୍ରାହକଙ୍କ ସେବା କରିବା ପାଇଁ ଆମର ପ୍ରତିବଦ୍ଧତାକୁ ଦୃଢ଼ କରିବା ।” ସମ୍ପତ୍ତି, ଜମା, ବ୍ରାଞ୍ଚ, ଗ୍ରାହକ ଏବଂ କର୍ମଚାରୀଙ୍କ ଦୃଷ୍ଟିରୁ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ହେଉଛି ସର୍ବବୃହତ ବାଣିଜ୍ୟିକ ବ୍ୟାଙ୍କ୍ । ଏହା ମଧ୍ୟ ଦେଶର ସବୁଠାରୁ ବଡ଼ ଋଣଦାତା ବ୍ୟାଙ୍କ୍ । ଏହି ବ୍ୟାଙ୍କର ଘରୋଇ ଋଣ ପୋର୍ଟଫୋଲିଓ ୬.୫୩ ଲକ୍ଷ କୋଟିରୁ ଅଧିକ ।
ତେବେ ଧୋନୀଙ୍କୁ ଏହାର ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତି ନେଇ ବ୍ୟାଙ୍କ ତରଫରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି, “ମହେନ୍ଦ୍ର ସିଂହ ଧୋନୀଙ୍କ ସହ ଏହି ଚୁକ୍ତି ଗ୍ରାହକଙ୍କ ସହିତ ଗଭୀର ସମ୍ପର୍କ ଗଢ଼ିବା ପାଇଁ ବ୍ୟାଙ୍କ୍ର ପ୍ରତିବଦ୍ଧତାକୁ ପ୍ରତୀକ କରିବ, ଯାହାକି ବିଶ୍ୱସନୀୟତା ଏବଂ ନେତୃତ୍ୱର ମୂଲ୍ୟବୋଧକୁ ପ୍ରତିଫଳିତ କରିବ ।”