ଓଡ଼ିଶା 365 (ବ୍ୟୁରୋ): ରବିବାର ଆଲମଣ୍ଡା-କଣ୍ଟକାପାଲ୍ଲିରେ ବିଶାଖାପାଟନାମ୍-ରାୟଗଡ଼ା ପାସେଞ୍ଜର ଟ୍ରେନକୁ ଧକ୍କା ଦେଇଛି ବିଶାଖାପାଟନମ୍-ପଲାସା ପାସେଞ୍ଜର । ଏହି ଟ୍ରେନ୍ ଟ୍ରାଜେଡିରେ ଧିରେ ଧିରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ୧୪ରେ ପହଁଚିଥିବା ବେଳେ ଶତାଧିକ ଯାତ୍ରା ଆହତ ହୋଇଛନ୍ତି। କିଛି ଆହତଙ୍କ ଅବସ୍ଥା ସଂକଟାପନ୍ନ ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଏହାରି ଭିତରେ ସ୍ଥିତି ପରଖିବା ପାଇଁ ଦୁର୍ଘଟଣା ସ୍ଥଳରେ ପହଞ୍ଚିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି ମନ୍ତ୍ରୀ । ଏହାପରେ ମେଡିକାଲ ଯାଇ ମନ୍ତ୍ରୀ ଆହାତଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ରାଜସ୍ୱ ମନ୍ତ୍ରୀଙ୍କ ସହ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି ଏସଆରସି ଟିମ୍ ।
ସେପଟେ ଟ୍ରେନ୍ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ ପରେ ଟ୍ରାକ୍ ମରାମତି କାମ ଜୋରଦାର ଲାଗିଛି । ସୋମବାର ଅପରାହ୍ଣ ୪ଟା ସୁଦ୍ଧା ସମସ୍ତ ମରାମତି କାର୍ଯ୍ୟ ଶେଷ ହେବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଟ୍ରାକ୍ ମରାମତି ଚାଲୁଥିବାରୁ ୩୩ଟି ଟ୍ରେନକୁ ବାତିଲ୍ କରାଯାଉଛି । ୨୨ଟି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି । ଅନ୍ୟପଟେ ୧୧ଟି ଟ୍ରେନ୍ ଆଂଶିକ ବାତିଲ କରାଯାଇଥିବା ବେଳେ ୬ ଟ୍ରେନର ସମୟ ପରିବର୍ତ୍ତନ କରାଯାଇଥଛି । ଦୁର୍ଘଟଣାରେ ଫସିଥିବା ଯାତ୍ରୀଙ୍କ ପାଇଁ ସ୍ଵତନ୍ତ୍ର ଟ୍ରେନ୍ କିମ୍ବା ବସ୍ ବ୍ୟବସ୍ଥା କରାଯାଉଛି ପୂର୍ବଟତ ରେଳ ପକ୍ଷରୁ କୁହାଯାଉଛି ।