ଓଡ଼ିଶା 365 (ବ୍ୟୁରୋ): ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି । ଏହାପୂର୍ବରୁ ବରିଷ୍ଠ କ୍ରିକେଟ ଖେଳାଳୀ ମହେନ୍ଦ୍ର ସିଂ ଧୋନୀଙ୍କୁ ବ୍ରାଣ୍ଡ ଆମ୍ବାସଡର ଭାବେ ନିଯୁକ୍ତ କରିଛି ଭାରତୀୟ ଷ୍ଟେଟ ବ୍ୟାଙ୍କ। ପବ୍ଲିକ ସେକ୍ଟରରେ ସବୁଠାରୁ ବଡ ବ୍ୟାଙ୍କ ତରଫରୁ ରବିବାର ଦିନ ଏହା ଘୋଷଣା କରାଯାଇଛି । ବ୍ୟାଙ୍କ ତରଫରୁ ଧୋନୀ ମାର୍କେଟିଂ ଓ ବିଜ୍ଞାପନ ଦାୟିତ୍ୱ ସମ୍ଭାଳିବେ ବୋଲି କୁହାଯାଇଛି ।
ଏସବିଆଇର ଅଧ୍ୟକ୍ଷ ଦିନେଶ ଖାରା କହିଛନ୍ତି କି, ଧୋନୀଙ୍କୁ ବ୍ରାଣ୍ଡ ଆମ୍ବାସଡର ଭାବେ ସାମିଲ କରି ଆମେ ବେଶ ଗର୍ବିତ । ଏହାସହ ଧୋନୀ ଏସବିଆଇ ସହ ଯୋଡି ହେବା ପରେ ବ୍ରାଣ୍ଡ ଏକ ନୂଆ ଅବତାର ନେବ ବୋଲି ସେ କହିଛନ୍ତି । ଏହି ନିଷ୍ପତ୍ତି ଭାଗିଦାରୀ, ଲକ୍ଷ୍ୟ, ବିଶ୍ୱାସ, ଅଖଣ୍ଡତା ଓ ଅତୁଟ ସମର୍ପଣ ସହିତ ରାଷ୍ଟ୍ର ଓ ଆମ ଗ୍ରାହକଙ୍କ ସେବା କରିବାର ପ୍ରତିବଦ୍ଧତାକୁ ମଜବୁତ କରିବ ବୋଲି ସେ କହିଛନ୍ତି । ଏହାକୁ ନେଇ ଧୋନିଙ୍କ ଫ୍ୟାନ୍ସ ମାନଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳୁଛି ।