ଓଡ଼ିଶା 365 (ବ୍ୟୁରୋ): ଦିନକୁ ଦିନ ଉଗ୍ର ହେଉଛି ଓଲିଉଡ କଳାକାରଙ୍କ କଳି। କେହି କାହାଠୁ କମ୍ ନୁହଁନ୍ତି। ସମସ୍ତେ ସାମ୍ନାବାଲାର ଗୋଇ ଖୋଳିବାରେ ବ୍ୟସ୍ତ। ସମ୍ବଲପୁରରେ ବାବୁସାନ୍ ଓ ଅରିନ୍ଦମଙ୍କ ସିନେମା ଚଲେନଦେବା ଅଭିଯୋଗରେ ସିନେ କଳାକାର ମନୋଜ ମିଶ୍ରଙ୍କୁ ନେଇ ଓଲିଉଡରେ ଦେଖାଦେଇଥିବା ଝଡ଼ ଏବେ ଭିନ୍ନ ମୋଡ ନେଉଛି। ଏହି ଅଭିଯୋଗ ଆସିବା ପରେ ପ୍ରଥମେ ମନୋଜଙ୍କ ଓଡ଼ିଆ ସିନେମାରୁ ୨ ବର୍ଷ ପାଇଁ ବାସନ୍ଦ କରିବାକୁ ନେଇ ତେଜିଛି ବିବାଦ। ଏହାକୁ ନେଇ ଏବେ ବିବାଦ ଲାଗି ରହିଥିବା ବେଳେ ପ୍ରେସ୍ ମିଟ୍ କରି ଜବାବ ରଖିଛନ୍ତି ମନୋଜ । ସାମ୍ବାଦିକ ସମ୍ମିଳନୀରେ ଫିଲ୍ମ ନିର୍ଦ୍ଦେଶକ ଟୁଟୁ ନାୟକଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ମନୋଜ । ‘ଟୁଟୁ ନାୟକ ତାଙ୍କୁ ବ୍ୟାନ୍ କରିଥିଲେ ଏବେ ସେ ନିଜେ ଟୁଟୁ ନାୟକଙ୍କୁ ବ୍ୟାନ୍ କରୁଛନ୍ତି ବୋଲି କହିଛନ୍ତି ମନୋଜ୍ ମିଶ୍ର । ସେ କହିଛନ୍ତି ଫିଲ୍ମ ଇଣ୍ଡଷ୍ଟ୍ରୀ କେବଳ କଟକ, ଭୁବନେଶ୍ୱରର ନୁହେଁ । ସାରା ଓଡ଼ିଶାରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ବ୍ୟାପ୍ତ । ଆଉ ମୁଁ ଜଣେ ଓଡ଼ିଆ ଅଭିନେତା । ମୋତେ ବ୍ୟାନ୍ କରାଯାଇଛି ବୋଲି କିଛି ଚିଠି ପାଇନି । ମୋତେ ଟୁଟୁ ନାୟକ ବ୍ୟାନ୍ କରାଯାଇଥିବା ମିଡିଆରେ କହିଛନ୍ତି । ଟୁଟୁ ନାୟକ ମୋତେ କ’ଣ ବ୍ୟାନ୍ କରିବେ ଏବେ ମୁଁ ତାଙ୍କୁ ବ୍ୟାନ୍ କରୁଛି । ମୁଁ ଟୁଟୁ ନାୟକଙ୍କ କୌଣସି ଫିଲ୍ମରେ ଅଭିନୟ କରିବିନି । ସେ ମୋତେ ବ୍ୟାନ୍ କରିବାକୁ କିଏ ବୋଲି ପଚାରିଛନ୍ତି ।
ଅନ୍ୟପଟେ ଅନୁଭବ ଓ ଅରିନ୍ଦମ ଟୁଟୁ ନାୟକ ଚକ୍କରରେ ପଡ଼ି ଯାଇଥିବା ମଧ୍ୟ ସେ କହିଛନ୍ତି । ଏପରିକି ଓଡ଼ିଶା ଦି ଭାଗ ମନ୍ତବ୍ୟ ଉପରେ ପ୍ରଶ୍ନ ଉପରେ କୌଣସି ଉତ୍ତର ରଖି ନାହାଁନ୍ତି ମନୋଜ । ଏହା ସହ ମନୋଜ କହିଛନ୍ତି ସମସ୍ତଙ୍କ ସମର୍ଥନ କରିବା ଶୈଳୀ ଭିନ୍ନ ରହିଥାଏ । ନରସିଂହ ମିଶ୍ର ତାଙ୍କ ଶୈଳୀରେ ସମର୍ଥନ କଲେ । ମୁଁ ଖୁସି, ସାରା ଓଡ଼ିଶା ମୋତେ ସପୋର୍ଟ କରୁଛି । ବିବାଦ ହେଲେ ଓଡ଼ିଆ ସିନେମା ଆଗକୁ ଯାଇ ପାରିବନି । ସମସ୍ତ ଡିଷ୍ଟ୍ରିବ୍ୟୁଟରଙ୍କ ସହ ସରକାର ଆଲୋଚନା କରନ୍ତୁ । ମାସେ ପାଇଁ ଯେଭଳି ଓଡ଼ିଆ ଫିଲ୍ମ ହଲରୁ ହଟିବନି ବ୍ୟବସ୍ଥା କରନ୍ତୁ । ଗତକାଲି ମନୋଜଙ୍କ ବାସନ୍ଦକୁ ବିରୋଧ କରିଥିଲେ ନରସିଂହ ମିଶ୍ର । ଦରକାର ପଡ଼ିଲେ ଓଡ଼ିଶା ଦୁଇ ଭାଗ ହୋଇଯିବ କହିଥିଲେ । ନରସିଂହଙ୍କ ଏପରି ବୟାନ ସିନେ କଳାକାର କଲିରେ ଘିଅ ଢାଳିବା ସଦୃଶ ହୋଇଛି । ଏପରିକି ସେ ପୁଣି ମନ୍ତବ୍ୟ ଦୋହରାଇ କହିଛନ୍ତି ମନୋଜ ମିଶ୍ରଙ୍କୁ ଫିଲ୍ମରୁ ବାସନ୍ଦ ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ସ୍ପଷ୍ଟ ହେଉଛି ।
ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଦାବି ହେଲେ ବିରୋଧ ହେଉଛି । ବଲାଙ୍ଗିରରେ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବି ହେଲେ ବିରୋଧ ହେଉଛି । ପଶ୍ଚିମ ଓଡ଼ିଶା ସବୁବେଳେ ଅବହେଳିତ ହୋଇ ରହୁ ସରକାର ଚାହୁଁଛନ୍ତି । ସ୍ୱତନ୍ତ୍ର ରାଜ୍ୟ ଦାବି କରିବା ନେଇ ଲୋକଙ୍କୁ ବାଧ୍ୟ କରାଯାଉଛି । ସ୍ୱତନ୍ତ୍ର କୋଶଳ ରାଜ୍ୟ ପ୍ରତିଷ୍ଠା ସପକ୍ଷରେ ମୁଁ ନଥିଲି, କି ଆଜି ବି ନାହିଁ ବୋଲି କହିଛନ୍ତି ନରସିଂହ ମିଶ୍ର । ସରକାରଙ୍କ ମନୋବୃତ୍ତି କିନ୍ତୁ ଓଡ଼ିଶାକୁ ଭାଗ ଭାଗ କରିବାକୁ ବାଧ୍ୟକରୁଛି । ଯଦି ଓଡ଼ିଶା ଭାଗ ଭାଗ ହୁଏ ସରକାର ଦାୟୀ, ଉପକୂଳ ଲୋକେ ଦାୟୀ ରହିବେ ବୋଲି ନରସିଂହ ମିଶ୍ର କହିଛନ୍ତି । ଅନ୍ୟପଟେ ଏପ୍ରସଙ୍ଗରେ ଅଭିନେତା ଶ୍ରୀତମ ଦାସ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ପଶ୍ଚିମ ଓଡିଶାରୁ ଆସି ଏଠି ନମ୍ବର ୱାନ କଳାକାର ହୋଇଛନ୍ତି, ବହୁ ବଡ ବଡ଼ ଜାଗାରେ ଅଛନ୍ତି । ସେମାନେ ସମସ୍ତେ ଓଡିଶାର ସୁପୁତ୍ର । ଆମ ପରିବାର ଭିତରେ ଟିକେ ମନୋମାଳିନ୍ୟ ହୋଇଛି । ଆମ ପରିବାର ଭିତର କଥା ବାହାରକୁ ପଳେଇ ଆସିଛି ତାହା ବଡ଼ ଭଳି ଲାଗୁଛି, କିଛି ଦିନ ଭିତରେ ସମାଧାନ ହୋଇଯିବ। ଏହାକୁ ନେଇ ରାଜନୀତି ହେବା କଥା ନୁହେଁ ।