ଓଡ଼ିଶା 365 (ବ୍ୟୁରୋ): ବେଶ୍ କିଛିଦିନ ହେବ ଅଶାନ୍ତ ହୋଇପଡ଼ିଛି ଗଞ୍ଜାମ। କଥା କଥାରେ ଗୁଳି ଫୁଟାଉଛନ୍ତି ଦୁର୍ବୃତ୍ତ।ଗୋଟିଏ ଦିନରେ ଯାଇଛି ତିନି ଜଣଙ୍କ ଜୀବନ । କୌଣସି କାରଣକୁ ନେଇ ଗତକାଲି ବୁଗୁଡ଼ା ଥାନା କରଚୁଲି ଗାଁର ସୁଶାନ୍ତ ପାତ୍ରଙ୍କୁ ହତ୍ୟା କରାଯାଇଥିଲା। ଆଜି ସାମ୍ନାକୁ ଆସିଛି ସୁଶାନ୍ତଙ୍କ ମୃତ୍ୟୁ ପୂର୍ବରୁ ଫୋନ୍ କଲ । ସଂଧ୍ୟା ୭ଟା ବେଳେ ସେ ତାଙ୍କ ଝିଅକୁ ଫୋନ୍ କରିଥିଲେ । ତାଙ୍କୁ ମାରିଦେବାକୁ ଉକ୍ତ ଗାଁର ପଦ୍ମନାଭ ନାୟକ, ବାସୁ ନାୟକ ଓ ରଞ୍ଜିତ ନାୟକ ଧମକ ଦେଇଛନ୍ତି । ତେବେ ଯଦି ତାଙ୍କର କିଛି ହୁଏ ତାଙ୍କ ଫୋନ୍ ଏହି ଫୋନକୁ ବ୍ୟବହାର କରିବୁ ବୋଲି ଝିଅକୁ କହିଥିଲେ । ମୋବାଇଲ୍ କଲର ୬ ଘଂଟା ପରେ ରାତି ପାୟ ଗୋଟାଏ ବେଳେ ତାଙ୍କୁ ହତ୍ୟା କରାଯାଇଥିଲା । ପୋଲିସ ଘଟଣାରେ ତିନି ଜଣଙ୍କୁ ଅଟକ ରଖି ପଚରାଉଚରା କରିଛି ।
ସେହିପରି ଶେରଗଡ଼ ଥାନା ଲାଞ୍ଜିଆପଲ୍ଲୀ ଗାଁରେ ମଙ୍ଗଳା ଭୂୟାଁ ଓ ସଦର ଥାନା ନାରାୟଣପୁର ଗାଁର ଦୁନିଆ ସାହୁଙ୍କୁ ହତ୍ୟା କରାଯାଇଛି । ଗତ କିଛି କିଛି ଦିନର ବ୍ୟବଧାନ ପରେ ପୁଣି ଅଶାନ୍ତ ହୋଇପଡ଼ିଛି ଗଞ୍ଜାମ। କେଉଁଠି ରାଜନୈତିକ ଶତ୍ରୁତା ତ ଆଉ କେଉଁଠି ପୂର୍ବ ଶତ୍ରୁତାରୁ ମୁଣ୍ଡ ଗଡ଼ୁଛି। ଫଳରେ ଜିଲ୍ଲାର ଆଇନଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଥିବା ନେଇ ସାଧାରଣରେ ଆଲୋଚନା ହୋଉଛି।