ଓଡ଼ିଶା 365(ବ୍ୟୁରୋ): କୁମାରୀ ମାନଙ୍କର ବଡ଼ ପର୍ବ କୁମାର ପୂର୍ଣ୍ଣିମା …ଏହାକୁ କୁମାରୋତ୍ସବ ଏବଂ ଶରତ ପୂର୍ଣ୍ଣିମା ବୋଲି ମଧ୍ୟ କୁହାଯାଏ । ନୂଆ ବସ୍ତ୍ର ପରିଧାନ କରି, ଗୋଡ଼ରେ ଅଳତା, ବେଣୀରେ ଗଜରା ମାରି କେତେ ସଜେଇ ହଇ ଫୁଲେଇ ହୁଅନ୍ତି କୁମାରୀ ଝିଅ । ଓଡ଼ିଆ ପରମ୍ପରାରେ ଅଳତା ହେଉଛି ଅହିସୁଲକ୍ଷଣୀ ହେବାର ପ୍ରତୀକ। ସଜବାଜ ହୋଇ ଝିଅମାନେ ଏକାଠି ହୋଇ କାର୍ତ୍ତିକେୟଙ୍କ ଭଳି ସୁନ୍ଦର ଜୀବନସାଥୀଟିଏ ପାଇବା ଉଦ୍ଦେଶ୍ୟରେ କାର୍ତ୍ତିକେୟଙ୍କୁ ଆରାଧନା କରିବା ସହ କରନ୍ତି ଚନ୍ଦ୍ର ପୂଜା। ସଞ୍ଜରେ ତୁଳସୀ ଚଉରା ମୂଳରେ କରନ୍ତି ବନ୍ଦାପନା। କାରଣ ପୁରାଣରେ କଥିତ ଅଛି, ତୁଳସୀ ଦେବୀ ପରମ ପତିବ୍ରତା ନାରୀ ଥିଲେ । ତାଙ୍କର ପତିବ୍ରତା ଗୁଣ ଯୋଗୁଁ ହିଁ ତାଙ୍କୁ ବୃକ୍ଷ ରୂପରେ ପୂଜା ପାଇବାର ବର ମିଳିଥିଲା । ଯୁଗେ ଯୁଗେ କୁମାରୀମାନେ ଉତ୍ତମ ବର ପାଇବା ପାଇଁ ଓ ବିବାହିତା ନାରୀମାନେ ନିଜ ସ୍ୱାମୀଙ୍କ ସୁଖ ସମୃଦ୍ଧି ପାଇଁ ଚଉରା ପୂଜା କରି ଆସିଛନ୍ତି । ତେଣୁ କୁମାର ପୂର୍ଣ୍ଣିମାରେ ଚଉରା ପୂଜା କଲେ ମନୋସ୍କାମନା ପୂରଣ ହୋଇଥାଏ ।
ଏହି ଦିନ ତୁଳସୀ ଗଛରେ ନାଲି ଶଙ୍ଖା ଓ ସାଲୁ କନା ସହ ନୂଆ ବସ୍ତ୍ରଟିଏ ଦିଆଯାଇଥାଏ । ଚଉରା ଆଗରେ ପିଢ଼ାରେ ଗୁଆ ରଖି ତା’ ଉପରେ ଦୁବ ଘାସ, ଫୁଲ, ବରକୋଳି ପତ୍ର ଦେଇ ସଜାଯାଇଥାଏ । ଚଉରା ପାଖରେ ସ୍ଥାପନ କରାଯାଇଥିବା କଳସରେ ଆମ୍ବଡାଳ, ଗୁଆ, ସିନ୍ଦୁର, ଚନ୍ଦନ ଇତ୍ୟାଦି ଦେଇ ଅନୁରୂପ ଭାବେ ସଜାଯାଇଥାଏ । ଭୋଗ ପାଇଁ ଖଇ, ନଡ଼ିଆ, କଦଳୀ, ଛେନା, ଦହି, କ୍ଷୀର, କାକୁଡ଼ି, ତାଳସଜ, ମହୁ, ଅଦା, ଘିଅ, ଆଖୁ, ଗଜା ମୁଗ, ସେଓ, ଚିନି ଇତ୍ୟାଦି ପଡ଼ି ଏକ ଚକଟା ପ୍ରସ୍ତୁତ କରାଯାଇଥାଏ । ଏହି ଚକଟାକୁ ଚାନ୍ଦ ଚକଟା କୁହାଯାଏ । ପୂଜା ସମୟରେ ଚାନ୍ଦ ଚକଟା ଓ ମଣ୍ଡା ପିଠା ଭୋଗ ଏବଂ ଚନ୍ଦ୍ରଙ୍କୁ ଅର୍ପଣ କରି ସେମାନଙ୍କୁ ଶଙ୍ଖ ଓ ହୁଳହୁଳି ସହ ଦୀପରେ ବନ୍ଦାଇ ଦିଆଯାଏ । ପୂଜା ସରିଲା ପରେ ଭୋଗ ଖାଇ କୁମାରୀ କନ୍ୟାମାନେ ନିଜର ସାରା ଦିନର ଉପବାସ ଭାଙ୍ଗିଥାନ୍ତି । ତେବେ ଏ ବର୍ଷ ଚନ୍ଦ୍ରଗ୍ରହଣ ପଡୁଥିବାରୁ ସଞ୍ଜ ନଇବା ପୂର୍ବରୁ କୁମାରୀମାନେ ଚାନ୍ଦ ପୂଜା କରିଛନ୍ତି ।