ଓଡ଼ିଶା 365 (ବ୍ୟୁରୋ): ଡିଲ୍ ବେଳେ ବ୍ରାଉନସୁଗର ଜବତ ସହ ଦୁଇ ଅଭିଯୁକ୍ତଙ୍କୁ ପାନ୍ଧିଲା ପୋଲିସ। ଖଣ୍ଡଗିରି ରମାମଣି ପେଟ୍ରୋଲ ପମ୍ପ ନିକଟରେ ବ୍ରାଉନ ସୁଗାର ଡିଲ ଚାଲିଥିବା ବେଳେ ଅତର୍କିତ ଚଢଉ କରିଥିଲା ପୋଲିସ। ଘଟଣାସ୍ଥଳରୁ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଘଟଣାସ୍ଥଳରୁ ୨୦.୨୯ ଗ୍ରାମ ଓଜନର ବ୍ରାଉନ ସୁଗାର ସହିତ ନଗଦ ୩୨୦୦ ଟଙ୍କା ଜବତ କରିଛି ।
ଖବରଯୋଗ୍ୟ, ଖଣ୍ଡଗିରି ରମାମଣି ପେଟ୍ରୋଲ ପମ୍ପ ନିକଟରେ ବେଆଇନ ବ୍ରାଉନସୁଗାର ବିକ୍ରି ଚାଲିଥିବା ବିଶ୍ଵସ୍ତ ସୂତ୍ରରୁ ଖବରପାଇଥିଲା ଖଣ୍ଡଗିରି ପୋଲିସ। ଏହାପରେ ଖଣ୍ଡଗିରି ଥାନାର ଏକ ସ୍ପେଶାଲ ଟିମ ପେଟ୍ରୋଲ ପମ୍ପ ନିକଟରେ ଆଜି ଅତର୍କିତ ଚଢାଉ କରିଥିଲା । ଚଢାଉ ସମୟରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଏହି ସ୍ପେଶାଲ ଟିମ । ଗିରଫ ଅଭିଯୁକ୍ତ ହେଲେ ପ୍ରିତମ କୁମାର ସାହୁ (୨୭) ଅନ୍ୟ ଜଣେ ହେଲେ ସନ୍ତୋଷ କୁମାର ସ୍ବାଇଁ (୩୧) । ଉଭୟ ଗିରଫ ଅଭିଯୁକ୍ତ ବରମୁଣ୍ଡା ସ୍ବାଇଁ ସାହିର ବୋଲି ଜଣାପଡିଛି । ପୋଲିସର ପଚରାଉଚରା ବେଳେ ଉକ୍ତ ବ୍ରାଉନ ସୁଗାରକୁ ବେଆଇନ ଭାବେ ଅର୍ଥ ଉପାର୍ଜନ ନିମନ୍ତେ ସାଧାରଣ ଲୋକଙ୍କୁ ବିକ୍ରି କରୁଥିବା ସ୍ଵୀକାର କରିଛନ୍ତି ଅଭିଯୁକ୍ତ । ଏହି ଘଟଣାକୁ କେନ୍ଦ୍ରକରି ଖଣ୍ଡଗିରି ଥାନା ପୁଲିସ ଏକ ବେଆଇନ ବ୍ରାଉନସୁଗାର ବିକ୍ରି ଜନିତ ମାମଲା ରୁଜୁ କରିବା ସହିତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।