ଓଡ଼ିଶା 365 (ବ୍ୟୁରୋ): ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନାରେ ଅଭାବନୀୟ ଘଟଣା । ମନ୍ଦିରରରୁ ଚୋରୀ ଘଟଣାରେ ଥାନାରେ ଅଟକଥିବା ଅଭିଯୁକ୍ତ ପୂଜକଙ୍କ ଉନ୍ମତକାଣ୍ଡ । ମହିଳା ଆଇଆଇସିଙ୍କ ବେକକୁ ବ୍ଲେଡରେ କାଟି ହତ୍ୟା ଉଦ୍ୟମ କରିଛି ଅଭିୟୁକ୍ତ। ଥାନାରେ ଏକୁଟିଆ ଥିବା ବେଳେ ଆକ୍ରମଣ କରିଛି ଅଭିଯୁକ୍ତ। ଯାହାର ଦୃଶ୍ୟ ସିସି ଟିଭିରେ କୟଦ ହୋଇଛି । ତେବେ ଆଇଆଇସିଙ୍କୁ ଆହତ ଅଵସ୍ଥାରେ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ, ଗତ ୧୬ ତାରିଖରେ ବିଶୋଇ ଶିବ ମନ୍ଦିରରେ ଦାନ ହୁଣ୍ଡିରୁ ଚୋରି ହୋଇଥିବା ଘଟଣାର ପଚରାଉଚରା ପାଇଁ ଉକ୍ତ ଶୈବ ପୀଠର ସେବାୟତ ଭାବେ କାର୍ଯ୍ୟରତ ଥିବା ବିଶୋଇଗାଁ ଗ୍ରାମର ସୁଶାନ୍ତ ଦେଓକୁ ବିଶୋଇ ଥାନାକୁ ଡକାଯାଇଥିଲା। ଅଭିଯୁକ୍ତ ଜଣକ ଥାନାକୁ ପ୍ରାୟ ସନ୍ଧ୍ୟା ୭ ଘଟିକା ସମୟରେ ପହଂଚିବା ପରେ ଥାନା ଅଧିକାରିଣୀ ମିନି ଭୋଇ ଘଟଣା ସମ୍ପର୍କରେ ପଚରଉଚରା କରିବା ପରେ ଚୋରି କରିବା ନେଇ ସ୍ୱୀକାର କରିଥିଲା। ଅଭିଯୁକ୍ତ ଜଣଙ୍କ ଚୋରିରେ ସମ୍ପୃକ୍ତ ଆଉ କିଛି ଦୁର୍ବୁତ୍ତମାନଙ୍କ ନାମ ମଧ୍ୟ ପ୍ରକାଶ କରିଥିଲା। ଥାନା ପରିସରରେ ଅଟକ ଥିବା ବେଳେ ଅଭିଯୁକ୍ତ ହଠାତ ଥାନା ଅଧିକାରିଣୀଙ୍କ ଉପରକୁ ଏକ ବ୍ଲେଡରେ ମରଣାନ୍ତକ ଆକ୍ରମଣ କରିଥିଲା। ତେବେ ଆଜି ଅଭିଯୁକ୍ତ ସୁଶାନ୍ତ ବିରୁଦ୍ଧରେ ବିଶୋଇ ଥାନାରେ କେସ୍ ନଂ ୨୦୯/୨୩ ଦଫାରେ ଏକ ମାମଲା ରୁଜୁ ହୋଇଛି।