ଓଡ଼ିଶା 365(ବ୍ୟୁରୋ): ଚିନ୍ତା ବଢାଉଛି ପିଆଜ ଦର। କିଣିବା ତ ଦୂର କଥା ପିଆଜ କଥା ଭାବିଲେ ଏବେ ଆଖିରୁ ଲୁହ ଗଡୁଛି । କାରଣ ବଜାରରେ ୨୦ରୁ ୨୫ ଟଙ୍କା ଦର ଥିବା ପିଆଜ କିଲୋ ଏବେ ଭୁବନେଶ୍ୱରରେ ୭୦ ଟଙ୍କାରେ ପହଞ୍ଚିଛି । ସର୍ବଭାରତୀୟ ସ୍ତରରେ ଖୁଚୁରା ପିଆଜ ଦର କିଲୋ ପିଛା ଏବେ ୪୭ ଟଙ୍କା। ହାଣ୍ଡିଶାଳର ସବୁଠୁ ଦରକାରୀ ପିଆଜର ଅଚାନକ ଦର ବୃଦ୍ଧି ଏବେ ଖାଉଟିଙ୍କୁ ବାଧୁଛି । ଗତକାଲି ଦିଲ୍ଳୀ ବଜାରରେ ପିଆଜ ୯୦ ଟଙ୍କାରେ ବିକ୍ରି ହୋଇଛି। ଖୁବଶୀଘ୍ର ଏହା ୧୦୦ ଟଙ୍କାକୁ ଟପିବ ବୋଲି କୁହାଯାଉଛି। ପ୍ରତିଦିନ ପିଆଜ ଦର ୧୦-୨୦ ଟଙ୍କା ବୃଦ୍ଧି ପାଉଛି। ଦୋକାନୀମାନଙ୍କ କହିବା କଥା, ଦିଲ୍ଳୀରେ ପିଆଜ ଦର ୧୦୦ ଟଙ୍କା ଛୁଇଁବାକୁ ଆଉ ବେଶୀ ସମୟ ଲାଗିବନି । ତେବେ ଅଚାନକ ପିଆଜ ଦର ବଢ଼ିବାରୁ ବିକ୍ରି ପରିମାଣ ହ୍ରାସ ପାଇଛି। ସେହିପରି ବିଲାତି ବାଇଗଣ କଥା ୫୦ ଟଙ୍କାରେ ପହଞ୍ଚିଛି। ଏପରିସ୍ଥିତିରେ ଗ୍ରାହକଙ୍କୁ ଆଶ୍ୱସ୍ତି ଦେବା ପାଇଁ କେନ୍ଦ୍ର ସରକାର ଖୁଚୁରା ବଜାରରେ ପିଆଜ କିଲୋ ପିଛା ୨୫ ଟଙ୍କା ରିହାତି ଦରରେ ବିକ୍ରି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଖାଉଟି ବ୍ୟାପାର ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ, ଶୁକ୍ରବାର ପିଆଜର ସର୍ବଭାରତୀୟ ହାରାହାରି ଖୁଚୁରା ମୂଲ୍ୟ କିଲୋ ପିଛା ୪୭ ଟଙ୍କାକୁ ବୃଦ୍ଧି ପାଇଛି, ଯାହା ପୂର୍ବ ବର୍ଷର ଏହି ସମୟ ମଧ୍ୟରେ କିଲୋ ପିଛା ୩୦ ଟଙ୍କା ଥିଲା। ଦିଲ୍ଲୀରେ ଶୁକ୍ରବାର ପିଆଜର ଖୁଚୁରା ଦର କିଲୋ ପିଛା ୪୦ ଟଙ୍କା ଥିବା ବେଳେ ଗତବର୍ଷ ଏହି ସମୟରେ ଏହି ଦର ୩୦ ଟଙ୍କା ଥିଲା।
ସେହିପରି ଭୁବନେଶ୍ୱରରେ ଶୁକ୍ରବାର ପିଆଜ ଦର କିଲୋ ପିଚ୍ଛା ୫୫ଟଙ୍କା ଥିବା ବେଳେ ଆଜି ଏହି ଦରରେ ବୃଦ୍ଧି ଘଟିଛି । ଅନେକସ୍ଥାନରେ ଆଜି ପିଆଜ କିଲୋ ପିଚ୍ଛା ୭୦ଟଙ୍କାରେ ବିକ୍ରି କରାଯାଇଛି । କାର୍ତ୍ତିକ ଆରମ୍ଭରୁ ପିଆଜ ଦର ବୃଦ୍ଧି ପାଇଥିବାରୁ ଗୃହିଣୀଙ୍କ ଚିନ୍ତା ବଢିଛି । ଗତବର୍ଷ ମଧ୍ୟ ଏହି ସମୟରେ ପିଆଜ ଦର ବୃଦ୍ଧି ପାଇଥିଲା ।