ଓଡ଼ିଶା 365 (ବ୍ୟୁରୋ): ଆଜିଠୁ ଆରମ୍ଭ ହେଉଛି ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା। ଏଥିଲାଗି ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର । ମାଆଙ୍କ ଆବାହନରେ ସବୁଠି ଉତ୍ସବର ମାହୋଲ । ରାଜ୍ୟର କୋଣ ଅନୁକୋଣରେ ମା’ଙ୍କ ପୂଜା ବେଶ୍ ଧୂମଧାମ ସହକାରେ ଅନୁଷ୍ଠିତ ହେଉଛି । କିନ୍ତୁ ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସିଦ୍ଧି ଲାଭ କରିଥିବା ଢେଙ୍କାନାଳ ଓ କେନ୍ଦ୍ରାପଡ଼ାରେ ଜୋରଦାର ପ୍ରସ୍ତୁତି ଦେଖିବାକୁ ମିଳିଛି । ରଙ୍ଗୀନ ଆଲୋକମାଳା ସାଙ୍ଗକୁ ସୁଉଚ୍ଚ ତୋରଣରେ ସଜେଇ ହୋଇଛି ପୁରା ସହର । ଢେଙ୍କାନାଳର ବିଭିନ୍ନ ମଣ୍ଡପରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ସୁସଜ୍ଜିତ ହୋଇଥିବା ବେଳେ ତୋରଣ କାମ ବି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତଥର ଢେଙ୍କାନାଳରେ ୩୮ଟି ପୂଜା ମଣ୍ଡପରେ ପୂଜା ପାଇବେ ମା’ ଗଜଲକ୍ଷ୍ମୀ। ବିଭିନ୍ନ ମଣ୍ଡପରେ ଚାନ୍ଦିମେଢ ସହିତ ସୁଉଚ୍ଚ ତୋରଣ ସାଙ୍ଗକୁ ୧୦ କିଲୋମିଟର ବ୍ୟାପୀ ଆଲୋକ ସଜ୍ଜା ହେଉଛି।
ଆଜି ସକାଳେ ବିଭିନ୍ନ ନଦୀ ଏବଂ ପୁଷ୍କରିଣୀରେ କଳସ ବୁଡାଇ ଗଜଲକ୍ଷ୍ମୀଙ୍କୁ ଆବାହନ କରିବା ସହ ପୂଜା ମଣ୍ଡପରେ ମାଆଙ୍କର ଘଟ ସ୍ଥାପନ କରାଯାଇଛି । ଆଜି ଚନ୍ଦ୍ର ଗ୍ରହଣ ଲାଗୁଥିବାରୁ ସନ୍ଧ୍ୟା ପରିବର୍ତ୍ତେ ଭୋରୁ କଳସ ବୁଡାଇବା ନୀତି ସମ୍ପନ୍ନ ହୋଇଛି । ପ୍ରତିଦିନ ବିଧି ମୁତାବକ ହୋମ, ଯଜ୍ଞ, ଘଟପୂଜନ , ମନ୍ତ୍ରପାଠ ପ୍ରଭୃତି କରାଯିବ । ଚଳିତଥର ଢେଙ୍କାନାଳରେ ୩୮ଟି ପୂଜା ମଣ୍ଡପରେ ମା ପୂଜା ପାଉଥିବାବେଳେ କେନ୍ଦ୍ରାପଡାରେ ୬୭ ଗୋଟି ପୂଜା ମଣ୍ଡପରେ ମାଆଙ୍କର ପୂଜା ଅନୁଷ୍ଠିତ ହେଉଛି । ଢେଙ୍କାନାଳରେ ୧୧ ଦିନ ଧରି ଚାଲିବ ଗଜଲକ୍ଷ୍ମୀ ପୂଜା। କେନ୍ଦ୍ରାପଡାରେ ୭ ଦିନ ବ୍ୟାପୀ ପୂଜା ଅନୁଷ୍ଠିତ ହେବାକୁ ଥିବାବେଳେ ନଭେମ୍ବର ୪ ଓ ୫ ତାରିଖ ଦୁଇ ଦିନ ଧରି ମାଆଙ୍କର ଭସାଣୀ ଉତ୍ସବ ହେବ । ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।